ହକି ଟିକେଟ୍ ବିକ୍ରି ଆରମ୍ଭ

Image from Official Website Of Hockey India

ଭୁବନେଶ୍ୱର, ୨/୩ (ଇମିସ): ହାଇଦ୍ରାବାଦର ଗଚିବୌଲି ହକି କମ୍ପ୍ଲେକ୍ସଠାରେ ଚଳିତ ମାସ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏଫ୍‌ଆଇଏଚ୍ ମହିଳା ହକି ବିଶ୍ୱକପ୍-୨୦୨୬ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୋମବାରଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି।

ଟିକେଟ୍ ଦର ୨୫ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଇଷ୍ଟ ଷ୍ଟାଣ୍ଡର ଟିକେଟ୍ ସର୍ବାଧିକ ୧୦୦ ଟଙ୍କା, ନର୍ଥ ଷ୍ଟାଣ୍ଡର ମୂଲ୍ୟ ୫୦ ଟଙ୍କା ଓ ସାଉଥ୍ ଷ୍ଟାଣ୍ଡର ଦର ୨୫ ଟଙ୍କା ନିର୍ଦ୍ଧାରିତ ହୋଇଛି। ଅଧିକ ସଂଖ୍ୟକ ଦର୍ଶକ ପଡ଼ିଆକୁ ଆସିପାରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ଟିକେଟ୍ ଦର କମ୍ ରଖାଯାଇଛି।

ଟିକେଟ୍ ଜେନି ୱେବ୍ ପୋର୍ଟାଲ୍‌ରେ ଉପଲବ୍ଧ ରହିଛି।

ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍କଟଲାଣ୍ଡ, କୋରିଆ, ଇଟାଲି, ଉରୁଗୁଏ, ୱେଲ୍ସ ଓ ଅଷ୍ଟ୍ରିଆ ଭାଗ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ଦଳ ବେଲଜିୟମ ଓ ନେଦରଲାଣ୍ଡରେ ଅଗଷ୍ଟ ମାସରେ ହେବାକୁଥିବା ବିଶ୍ୱକପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

ପୁଲ୍-ଏରେ ଇଂଲଣ୍ଡ, କୋରିଆ, ଇଟାଲି ଓ ଅଷ୍ଟ୍ରିଆ ଥିବାବେଳେ ପୁଲ୍-ବିରେ ଭାରତ, ସ୍କଟଲାଣ୍ଡ, ଉରୁଗୁଏ ଓ ୱେଲ୍ସ ଅଛନ୍ତି। ଭାରତୀୟ ମହିଳା ଦଳ ମାର୍ଚ୍ଚ ୮ରେ ଉରୁଗୁଏ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପରେ ୯ରେ ସ୍କଟଲାଣ୍ଡ ଓ ୧୧ରେ ୱେଲ୍ସ ବିପକ୍ଷରେ ଖେଳି ପୁଲ୍ ପର୍ଯ୍ୟାୟ ଶେଷ କରିବ।

ପ୍ରତି ପୁଲ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ। ସେମିଫାଇନାଲ୍ ୧୩ ତାରିଖରେ ଏବଂ ଫାଇନାଲ୍ ସହ ତୃତୀୟ ସ୍ଥାନ ମ୍ୟାଚ୍ ୧୪ ତାରିଖରେ ଖେଳାଯିବ।

Leave a Reply

Your email address will not be published. Required fields are marked *