ତେହେରାନ ଓ ଇସଫାହାନ ଉପରେ ପ୍ରଚଣ୍ଡ ଆକ୍ରମଣ
ତେହେରାନ/ୱାସିଂଟନ, ୩୧/୩: ଆମେରିକା-ଇସ୍ରାଏଲ ମେଣ୍ଟ ଓ ଇରାନ ମଧ୍ୟରେ ଚାଲିଥିବା ୩୨ ଦିନିଆ ସଂଘର୍ଷ ବର୍ତ୍ତମାନ ଭୟାବହ ଭୂ-ରାଜନୈତିକ ସଙ୍କଟର ରୂପ ନେଇଛି। ଏହି ମଧ୍ୟପ୍ରାଚ୍ୟ ତନାତନିର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି।
ଆଜି ଇସ୍ରାଏଲର ଜେରୁଜାଲେମ ଆକାଶରେ ପ୍ରାୟ ୧୦ଟି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ସଫଳତାର ସହ ରୋକାଯାଇଥିବାରୁ ବଡ଼ ବିନାଶ ରୋକାଯାଇଛି। ଏହାର ପ୍ରତିକ୍ରିୟାରେ ଆମେରିକା ପକ୍ଷରୁ ତେହେରାନ ଓ ଇସଫାହାନ ଉପରେ ‘ବଙ୍କର୍-ବଷ୍ଟର୍’ ବୋମା ଦ୍ୱାରା ଭୟଙ୍କର ଆକ୍ରମଣ କରାଯାଇଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏପ୍ରିଲ୍ ୬ ‘ହର୍ମୁଜ ସମୟସୀମା’ ପୂର୍ବରୁ ଏହି ପ୍ରଚଣ୍ଡ ଆକ୍ରମଣ ପୂର୍ଣ୍ଣାଙ୍ଗ ଯୁଦ୍ଧର ସତର୍କ ସଙ୍କେତ। ସେ କହିଛନ୍ତି ଯଦି ଚୁକ୍ତି ହେବ ନାହିଁ, ତେବେ ଇରାନ ପାଇଁ ଭୟାବହ ପରିଣାମ ହେବ।
ଇସଫାହାନର ପରମାଣୁ କାର୍ଯ୍ୟକ୍ରମ ସହ ସଂପୃକ୍ତ ଭିତ୍ତିଭୂମିକୁ ଟାର୍ଗେଟ୍ କରି ୨,୦୦୦ ପାଉଣ୍ଡର ବଙ୍କର୍-ବଷ୍ଟର୍ ବୋମା ବ୍ୟବହାର ହୋଇଥିବା ସୂଚନା ମିଳିଛି। ତେହେରାନରେ ଆକ୍ରମଣ ମୁଖ୍ୟତଃ କମାଣ୍ଡ-ଆଣ୍ଡ-କଣ୍ଟ୍ରୋଲ୍ ସେଣ୍ଟର ଓ ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଲକ୍ଷ୍ୟ କରି କରାଯାଇଛି, ଯାହା ଫଳରେ ଇରାନର ସାମରିକ ନେଟୱର୍କ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଏହି ଅଭିଯାନ ସମ୍ବନ୍ଧରେ ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଇସଫାହାନରେ ଭୟାବହ ବିସ୍ଫୋରଣ ଓ ଅଗ୍ନିଗୋଳା ଦେଖାଯାଉଛି।
ଏପରିସ୍ଥିତିରେ, ଇରାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ ଜାରି ରହିଛି। ଦୁବାଇ ବନ୍ଦରରେ ଥିବା କୁଏତର ଏକ ତେଲ ଟ୍ୟାଙ୍କରରେ ଆଗ୍ନିକାଣ୍ଡ ଘଟିଛି। ଯଦିଓ ଜାହାଜର ସମସ୍ତ ୨୪ ଜଣ ସଦସ୍ୟ ସୁରକ୍ଷିତ ଅଛନ୍ତି, ତଥାପି ଏହି ଆକ୍ରମଣ ସାମୁଦ୍ରିକ ବ୍ୟବସାୟକୁ ଭାରି ପ୍ରଭାବିତ କରିଛି।
ସେହିପରି, ସାଉଦି ଆରବ, ଦୁବାଇ ଓ ବାହାରିନ ଉପରେ ମିସାଇଲ୍ ଆକ୍ରମଣ ଜାରି ରହିଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଛି।
