୨୦୨୮ ବିଶ୍ୱ ଇନ୍ଡୋର୍ ଆଥ୍ଲେଟିକ୍ସ ପାଇଁ ଅବଗଣନା ଆରମ୍ଭ
ଭୁବନେଶ୍ୱର, ୪/୪ (ଇମିସ): ଓଡ଼ିଶାରେ ୨୦୨୮ ବିଶ୍ୱ ଇନ୍ଡୋର୍ ଆଥ୍ଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ ହେବାକୁ ଯାଉଥିବା ପରିପ୍ରେକ୍ଷିରେ ପ୍ରସ୍ତୁତିର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱ ଆଥ୍ଲେଟିକ୍ସ ଫ୍ଲାଗ୍ ପ୍ରଦାନ କରାଯିବା ସହିତ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଅବଗଣନା ଆରମ୍ଭ ହୋଇଛି।
ଶନିବାର କଳିଙ୍ଗ ଷ୍ଟାଡିୟମ୍ ଇନ୍ଡୋର୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ଫ୍ଲାଗ୍ ପ୍ରଦାନ କରିଥିଲେ।
ଉଲ୍ଲେଖନୀୟ ଯେ, ଗତମାସରେ ପୋଲାଣ୍ଡରେ ଆୟୋଜିତ ଏକ ଉତ୍ସବରେ ବିଶ୍ୱ ଆଥ୍ଲେଟିକ୍ସ ପକ୍ଷରୁ ଭାରତକୁ ଏହି ପ୍ରତିଯୋଗିତାର ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା। ସେଠାରେ ଏହି ଫ୍ଲାଗ୍ଟି ଭାରତୀୟ ଦୌଡ଼କୁଦ ସଂଘର ପ୍ରତିନିଧି ରବିନ୍ଦର ଚୌଧୁରୀ ଓ କ୍ରୀଡ଼ା ସଚିବ ଭୂପିନ୍ଦର ସିଂହ ପୁନିଆଙ୍କୁ ହସ୍ତାନ୍ତର କରାଯାଇଥିଲା।
ଫ୍ଲାଗ୍ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଏହା କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ବରଂ ୨୦୨୮ ବିଶ୍ୱ ଇନ୍ଡୋର୍ ଆଥ୍ଲେଟିକ୍ସ ପ୍ରତିଯୋଗିତା ପାଇଁ ଓଡ଼ିଶାର ପ୍ରସ୍ତୁତିର ଏକ ପ୍ରତୀକ। ଏହା ମାଧ୍ୟମରେ ଭାରତ ଓ ଓଡ଼ିଶାର ପ୍ରତିବଦ୍ଧତା ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଛି। ବିଶ୍ୱ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟମାନଙ୍କ ମଧ୍ୟରେ “ବିଶ୍ୱ ଇନ୍ଡୋର୍ ଆଥ୍ଲେଟିକ୍ସ ଚାମ୍ପିୟନସିପ୍”କୁ ଏକ ଗୁରୁତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଭାବେ ଗଣାଯାଏ। ଏହି ଅବସରରେ ବିଶ୍ୱର ଶ୍ରେଷ୍ଠ ଆଥ୍ଲେଟମାନେ ଓଡ଼ିଶାକୁ ଆସିବେ, ଯାହା ରାଜ୍ୟକୁ ନିଜର କ୍ରୀଡ଼ା ଭିତ୍ତିଭୂମି, ପରିଚାଳନା କୌଶଳ ଓ ଆୟୋଜନ କ୍ଷମତା ପ୍ରଦର୍ଶନ ପାଇଁ ଏକ ବଡ଼ ସୁଯୋଗ ଦେବ।
