ଇନ୍ଧନ ସଞ୍ଚୟ ପାଇଁ ସାଇକଲ୍‌ରେ କୋର୍ଟ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ତିନି ବିଚାରପତି

ଇନ୍ଧନ ସଞ୍ଚୟ ପାଇଁ ସାଇକଲ୍‌ରେ କୋର୍ଟ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ତିନି ବିଚାରପତି

କଟକ, ୧୮ ମଇ: ଇନ୍ଧନ ସଞ୍ଚୟ ଓ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇ ଓଡ଼ିଶା ହାଇକୋର୍ଟର ତିନିଜଣ ବିଚାରପତି ଆଜି ସକାଳେ ସାଇକଲ୍‌ ଚଳାଇ କୋର୍ଟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ ସମ୍ପର୍କିତ ଆହ୍ୱାନ ପରିପ୍ରେକ୍ଷୀରେ ବିଚାରପତିମାନଙ୍କ ଏହି ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ୍‌ ଭି. ନରସିଂହ ଓ ଜଷ୍ଟିସ୍‌ ଶିବଶଙ୍କର ମିଶ୍ର ସାଇକଲ୍‌ ଚଳାଇ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଥିଲେ। ସେମାନେ କଟକର ରିଂ ବନ୍ଧ ରାସ୍ତା ଦେଇ ସାଇକଲ୍‌ରେ ଯାତ୍ରା କରି ହାଇକୋର୍ଟ ପରିସରକୁ ପ୍ରବେଶ କରିଥିଲେ।

ବିଚାରପତିମାନଙ୍କ ଏହି ପଦକ୍ଷେପ କେବଳ ଇନ୍ଧନ ସଞ୍ଚୟର ବାର୍ତ୍ତା ଦେଇନଥିଲା, ବରଂ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ବଢ଼ାଇବାର ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଛି। ଦିନକୁ ଦିନ ବଢୁଥିବା ପ୍ରଦୂଷଣ ଓ ଇନ୍ଧନ ବ୍ୟବହାରକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ସାଇକଲ୍‌ ବ୍ୟବହାରକୁ ଏକ ସୁସ୍ଥ ଓ ପରିବେଶବନ୍ଧବ ବିକଳ୍ପ ଭାବେ ଦେଖାଯାଉଛି।

ହାଇକୋର୍ଟର ବିଚାରପତିମାନଙ୍କ ଏଭଳି ପଦକ୍ଷେପ ଆଇନଜୀବୀ, କର୍ମଚାରୀ ଓ ସାଧାରଣ ଜନସାଧାରଣଙ୍କୁ ଅନୁପ୍ରାଣିତ କରିବ ବୋଲି ମତ ପ୍ରକାଶ ପାଇଛି। ଅନେକେ ଏହାକୁ ଏକ ସକାରାତ୍ମକ ଓ ପ୍ରେରଣାଦାୟକ ଉଦ୍ୟମ ବୋଲି କହିଛନ୍ତି।

ପରିବେଶ ସୁରକ୍ଷା, ଶାରୀରିକ ସୁସ୍ଥତା ଓ ଇନ୍ଧନ ସଞ୍ଚୟକୁ ଗୁରୁତ୍ୱ ଦେଇ ସମାଜର ଅନ୍ୟ ଶ୍ରେଣୀର ଲୋକମାନେ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ଆଗେଇ ଆସିବା ଉଚିତ ବୋଲି ସଚେତନ ମହଳରୁ ମତ ଆସିଛି।

Leave a Reply

Your email address will not be published. Required fields are marked *