ତେହେରାନ/ୱାଶିଂଟନ/ତେଲ୍ ଅଭିଭ, ୨/୩ : ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟାବହ ଆକାର ନେଉଛି। ଆୟାତୋଲ୍ଲା ଖାମେନେଇଙ୍କ ହତ୍ୟା ପରେ ପ୍ରତିଶୋଧ ନେବାକୁ ଇରାନ ସଂକଳ୍ପବଦ୍ଧ ହୋଇଥିବା ବେଳେ, ଯୁଦ୍ଧର ତୃତୀୟ ଦିନରେ ଇରାନ ଆଜି ଇସ୍ରାଏଲର ଅନେକ ସରକାରୀ ସଂସ୍ଥାକୁ କ୍ଷେପଣାସ୍ତ୍ରରେ ଲକ୍ଷ୍ୟ କରିଥିବା ଦାବି କରିଛି। ଏଥିରେ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଓ ବାୟୁସେନା କମାଣ୍ଡ ମୁଖ୍ୟାଳୟ ସମେତ କିଛି ସୁରକ୍ଷା କେନ୍ଦ୍ର ଥିବା କୁହାଯାଇଛି।
ଇରାନର ଇସ୍ଲାମିକ ରେଭଲୁସନାରୀ ଗାର୍ଡ କର୍ପସ ତେଲ୍ ଅଭିଭ ଓ ହାଇଫାର ସୁରକ୍ଷା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରାଯାଇଥିବା ସ୍ୱୀକାର କରିଛି। ତେବେ ଆକ୍ରମଣ ପରେ ନେତାନ୍ୟାହୁ ସାର୍ବଜନୀନ ଭାବେ ଦେଖାଦେଇଥିବା ଖବର ମିଳିଛି। ଗତକାଲି ବେତ୍ ସେମେସ୍ରେ ଇରାନୀ ଆକ୍ରମଣରେ ୯ ଜଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ନେତାନ୍ୟାହୁ ସେଠାକୁ ଯାଇ ପରିସ୍ଥିତି ପର୍ଯ୍ୟବେକ୍ଷଣ କରିଥିଲେ।
ଅନ୍ୟପଟେ ଇସ୍ରାଏଲ ଡିଫେନ୍ସ ଫୋର୍ସେସ୍ କହିଛି ଯେ ଇରାନ ପକ୍ଷରୁ ନିକ୍ଷେପିତ ଅଧିକାଂଶ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି ଏବଂ ପ୍ରତିହତ ଆକ୍ରମଣ ଭାବେ ତେହେରାନରେ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇସ୍ରାଏଲ ଦକ୍ଷିଣ ତେହେରାନର ଗାନ୍ଧୀ ହସ୍ପିଟାଲ୍ ଓ ଇରାନର କୂଟନୈତିକ ପୋଲିସ କେନ୍ଦ୍ରକୁ ମଧ୍ୟ ଲକ୍ଷ୍ୟ କରିଥିବା ଦାବି କରିଛି।
ଶନିବାରଠାରୁ ଇସ୍ରାଏଲ-ଆମେରିକାର ମିଶ୍ରିତ ଆକ୍ରମଣରେ ଇରାନରେ ୫୫୫ ଜଣଙ୍କ ମୃତ୍ୟୁ ଓ ୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏପଟେ ଇସ୍ରାଏଲରେ ଇରାନ ଆକ୍ରମଣରେ ପ୍ରାୟ ୯ ଜଣଙ୍କ ମୃତ୍ୟୁ ଘଟିଛି।
ଇରାନ ସମର୍ଥିତ ହେଜବୋଲ୍ଲା ଲେବାନନ୍ରୁ ଇସ୍ରାଏଲ ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଥିବା ବେଳେ, ପ୍ରତିହତ ଭାବେ ଇସ୍ରାଏଲ ବେରୁତ୍ ସହ ଦକ୍ଷିଣ ଲେବାନନ୍ରେ ଆକ୍ରମଣ ଚାଲାଇଛି। ଏହି ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଖେମେନିଙ୍କ ମୃତ୍ୟୁ ପରେ ଇରାନ କଠୋର ମନୋଭାବ ଗ୍ରହଣ କରିଛି ଏବଂ ଆମେରିକା ସହ କୌଣସି ବୁଝାମଣା କରିବାକୁ ଇଚ୍ଛୁକ ନୁହେଁ ବୋଲି ସ୍ପଷ୍ଟ କରିଛି। ଯଦ୍ୟପି ରବିବାର ଡୋନାଲ୍ଡ ଟ୍ରମ୍ପ ଆଲୋଚନା ପାଇଁ ସଙ୍କେତ ଦେଇଥିଲେ, ଇରାନ ପକ୍ଷରୁ ସେଥିପାଇଁ ଅସ୍ୱୀକୃତି ମିଳିଛି।
