ଗଣନାକାରୀଙ୍କୁ ଠିକ୍‌ ତଥ୍ୟ ପ୍ରଦାନ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩୦/୦୪ (ଇମିସ): ରାଜ୍ୟରେ ଜନଗଣନା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତୁତି ଆସନ୍ତା ଏପ୍ରିଲ୍‌ ୧୬ ତାରିଖରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ମେ’ ୧୫ ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ।

ଏହା ପୂର୍ବରୁ ରାଜ୍ୟବାସୀଙ୍କୁ ସଚେତନ କରି ମୋହନ ଚରଣ ମାଝୀ ବାର୍ତ୍ତା ଦେଇ କହିଛନ୍ତି ଯେ, ଗଣନାକାରୀମାନେ ଯେତେବେଳେ ତଥ୍ୟ ସଂଗ୍ରହ ପାଇଁ ଆସିବେ, ସେତେବେଳେ ସମସ୍ତେ ଠିକ୍‌ ଓ ସଠିକ୍‌ ତଥ୍ୟ ପ୍ରଦାନ କରନ୍ତୁ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟ, ରାଜ୍ୟ ସରକାରଙ୍କ ରାଜସ୍ଵ ବିଭାଗ ସହ ସମନ୍ୱୟରେ ଏହି ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ।

ଏହା ପୂର୍ବରୁ ଏପ୍ରିଲ୍‌ ୧ରୁ ୧୫ ତାରିଖ ମଧ୍ୟରେ ସ୍ୱୟଂ-ଗଣନା ( ସେଲ୍ଫ ଏନୁମେରେସନ୍ ) ପ୍ରକ୍ରିୟା ଚାଲିଛି। https://se.census.gov.in

ପୋର୍ଟାଲ ମାଧ୍ୟମରେ ଲୋକମାନେ ନିଜର ତଥ୍ୟ ନିଜେ ଦେଇପାରୁଛନ୍ତି।

ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସ୍ୱୟଂ-ଗଣନା କରିଥିବା କହିଛନ୍ତି ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି, ସେମାନଙ୍କୁ ଶୀଘ୍ର ଏହି ପୋର୍ଟାଲରେ ତଥ୍ୟ ଦେବାକୁ ଆହ୍ୱାନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଜନଗଣନାରେ ସଂଗ୍ରହ ହେଉଥିବା ତଥ୍ୟ ରାଜ୍ୟ ଓ ଦେଶର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ବୟନ ପାଇଁ ଅତ୍ୟନ୍ତ ଆବଶ୍ୟକ।

ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ବୋଲି କୁହାଯାଇଛି। ତେଣୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ଗଣନାକାରୀମାନଙ୍କୁ ସହଯୋଗ କରି ସଠିକ୍‌ ତଥ୍ୟ ପ୍ରଦାନ କରି ଏହି ଜନଗଣନା କାର୍ଯ୍ୟକ୍ରମକୁ ସଫଳ କରନ୍ତୁ।

Leave a Reply

Your email address will not be published. Required fields are marked *