ଅହମଦାବାଦ, ୪/୪: ଧ୍ରୁବ ଜୁରେଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ସହ ରବି ବିଷ୍ଣୋଇଙ୍କ ଦମଦାର ବୋଲିଂ (୪ ୱିକେଟ୍) ଫଳରେ ରାଜସ୍ଥାନ ରୟାଲ୍ସ ଏକ ରୋମାଞ୍ଚକ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୬ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ରୟାଲ୍ସ ଟିମ୍ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।
ଶେଷ ଓଭରରେ ଗୁଜରାଟକୁ ୧୧ ରନ୍ ଆବଶ୍ୟକ ଥିବାବେଳେ ତୁଷାର ଦେଶପାଣ୍ଡେ ଶାନ୍ଦାର ବୋଲିଂ କରିଥିଲେ। ସେ ରସିଦ୍ ଖାନଙ୍କ ୱିକେଟ୍ ନେଇ ମ୍ୟାଚ୍ର ଦିଗ ବଦଳାଇ ଦେଇଥିଲେ ଏବଂ ଦଳର ବିଜୟ ନିଶ୍ଚିତ କରିଥିଲେ।
ତାହା ପୂର୍ବରୁ ରସିଦ୍ ଖାନ ଓ କାଗିସୋ ରବାଡ଼ା ଅଷ୍ଟମ ୱିକେଟ୍ ପାଇଁ ୫ ଓଭରରେ ୪୩ ରନ୍ ଯୋଡ଼ି ଗୁଜରାଟକୁ ମ୍ୟାଚ୍ରେ ଫେରାଇ ଆଣିବାର ଚେଷ୍ଟା କରିଥିଲେ। କିନ୍ତୁ ଶେଷ ଦୁଇ ଓଭରରେ ଜୋଫ୍ରା ଆର୍ଚର ଓ ଦେଶପାଣ୍ଡେ ମିଶି ମାତ୍ର ୮ ରନ୍ ଦେଇ ମ୍ୟାଚ୍କୁ ରୟାଲ୍ସ ପକ୍ଷରେ ନେଇଥିଲେ। ରବି ବିଷ୍ଣୋଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ପାଇଁ ଓପେନର୍ ଯଶସ୍ୱୀ ଜୟସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ ପାୱାରପ୍ଲେରେ ୬ ଓଭରରେ ବିନା ୱିକେଟ୍ ହରାଇ ୬୯ ରନ୍ ଯୋଡ଼ି ଏକ ଦୃଢ଼ ଆରମ୍ଭ ଦେଇଥିଲେ।
ସୂର୍ଯ୍ୟବଂଶୀ ୧୮ ବଲ୍ରୁ ୩୧ ରନ୍ ଏବଂ ଜୟସ୍ୱାଲ ୩୬ ବଲ୍ରୁ ୫୫ ରନ୍ କରି ବିଦାୟ ନେଇଥିଲେ। ପରେ ଧ୍ରୁବ ଜୁରେଲ ୪୨ ବଲ୍ରୁ ୭୫ ରନ୍ (୫ ଚୌକା, ୫ ଛକା) କରି ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ସିମ୍ରନ ହେଟମାୟର ୮ ବଲ୍ରୁ ୧୮ ରନ୍ କରି ଶେଷରେ ଦଳର ସ୍କୋରକୁ ୨୧୦ ପର୍ଯ୍ୟନ୍ତ ନେଇଥିଲେ।
ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ, କାଗିସୋ ରବାଡ଼ା, ଅଶୋକ ଶର୍ମା, ପ୍ରସିଦ୍ଧ କୃଷ୍ଣା ଓ ରସିଦ୍ ଖାନ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ରାଜସ୍ଥାନ ରୟାଲ୍ସ – ୨୦ ଓଭରରେ ୨୧୦/୬
(ଧ୍ରୁବ ଜୁରେଲ ୭୫, ଯଶସ୍ୱୀ ଜୟସ୍ୱାଲ ୫୫, ବୈଭବ ସୂର୍ଯ୍ୟବଂଶୀ ୩୧; ରବାଡ଼ା ୨/୪୨)
ଗୁଜରାଟ ଟାଇଟନ୍ସ – ୨୦ ଓଭରରେ ୨୦୪/୮
(ସାଇ ସୁଦର୍ଶନ ୭୩, ରସିଦ୍ ଖାନ ୨୪, ରବାଡ଼ା ୨୩*; ରବି ବିଷ୍ଣୋଇ ୪/୪୧)
