କେନ୍ଦୁଝର, ୨୦/୨ (ଇମିସ): କେନ୍ଦୁଝର ଜିଲ୍ଲାରେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ କ୍ରମେ ବଢ଼ୁଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ବିଶେଷକରି ଜଙ୍ଗଲ ସୀମାରେ ଅବସ୍ଥିତ ଗ୍ରାମଗୁଡ଼ିକର ଲୋକମାନେ ବାରମ୍ବାର ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି। ବନ୍ୟପ୍ରାଣୀମାନେ ଘର ଭାଙ୍ଗିବା ସହ ଚାଷ ଜମିରେ ପ୍ରବେଶ କରି ଫସଲ ନଷ୍ଟ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି।
ବନ ବିଭାଗର ତଥ୍ୟ ଅନୁଯାୟୀ, ଗତ ୬ ବର୍ଷରେ କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁ ଆକ୍ରମଣରେ ୧୦୬ ଜଣଙ୍କ ଜୀବନ ଯାଇଛି ଓ ୩୭୦ ଜଣ ଆହତ ହୋଇଛନ୍ତି। ଏହି ସମୟସୀମାରେ ୨୫୩୨ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୦୧.୨୦୦୯୬ ଏକର ଜମିରେ ଫସଲ ନଷ୍ଟ ହୋଇଛି। କ୍ଷତିପୂରଣ ସ୍ୱରୂପ ସରକାର ପକ୍ଷରୁ ୧୧ କୋଟି ୬୧ ଲକ୍ଷ ୩୬ ହଜାର ୩୨୪ ଟଙ୍କା ପ୍ରଦାନ କରାଯାଇଛି।
୨୦୨୦-୨୧ ମସିହାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭୫ ଜଣ ଆହତ ହୋଇଥିଲେ। ସେହିବର୍ଷ ୧୯୩ଟି ଘର ଭାଙ୍ଗିଥିବା ସହ ୫୦୭.୨୫ ଏକର ଚାଷ ଜମିରେ କ୍ଷତି ହୋଇଥିଲା। ୨୦୨୧-୨୨ରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭୨ ଜଣ ଆହତ ହୋଇଥିଲେ, ୧୪୩ଟି ଘର ଓ ୪୫୭.୧୧୯ ଏକର ଜମି କ୍ଷତିଗ୍ରସ୍ତ ହୋଇଥିଲା।
୨୦୨୨-୨୩ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୪୩ ଜଣ ଆହତ ହୋଇଥିବା ବେଳେ ୨୧୭ଟି ଘର ଭାଙ୍ଗିଥିଲା ଓ ୮୪୭.୩୩ ଏକର ଚାଷ ଜମି ନଷ୍ଟ ହୋଇଥିଲା। ୨୦୨୩-୨୪ରେ ଏହି ସଂଖ୍ୟା ବଢ଼ି ୧୯ ମୃତ୍ୟୁ ଓ ୫୧ ଆହତକୁ ପହଞ୍ଚିଥିଲା। ସେହି ସମୟରେ ୪୪୯ଟି ଘର ଓ ୯୧୪.୧୭୪ ଏକର ଜମିରେ ଫସଲ କ୍ଷତି ହୋଇଥିଲା।
୨୦୨୪-୨୫ରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୭୯୮ଟି ଘର ଭାଙ୍ଗିଥିବା ସହ ୧୧୭୩.୪୫୩ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। ଏହାସହ ୨୦୨୫-୨୬ରେ ଡିସେମ୍ବର ୩୦ ପର୍ଯ୍ୟନ୍ତ ୩୩ ଜଣଙ୍କ ମୃତ୍ୟୁ ଓ ୫୩ ଜଣ ଆହତ ହୋଇଥିବା ତଥ୍ୟ ମିଳିଛି। ଏହି ଅବଧିରେ ୬୮୨ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୧୧୨.୫୯୩ ଏକର ଜମିରେ ଫସଲ ନଷ୍ଟ ହୋଇଛି।
ଫସଲ କ୍ଷତିପୂରଣ ବାବଦକୁ ୪୧୩୨ ଜଣ ଚାଷୀଙ୍କୁ ୨ କୋଟି ୧୨ ଲକ୍ଷ ୧୨ ହଜାର ୬୬୫ ଟଙ୍କା ଅନୁକମ୍ପା ରାଶି ଦିଆଯାଇଛି। ମୃତ ଓ ଆହତଙ୍କ ପରିବାରକୁ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯାଇଛି।
କ୍ଷତିଗ୍ରସ୍ତମାନଙ୍କ କହିବା ଅନୁସାରେ, କେବଳ ଅର୍ଥ ସାହାଯ୍ୟ ଦେଇ ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଜଙ୍ଗଲ ସୀମାରେ ସୁରକ୍ଷା ବାଡ଼ ସ୍ଥାପନ, ହାତୀଙ୍କ ଗତିବିଧିର ନିୟମିତ ନିରୀକ୍ଷଣ ଓ ପୂର୍ବ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ହାତୀ ଟ୍ରାକିଂ ଓ ପ୍ରତିରୋଧକ ବ୍ୟବସ୍ଥା ଚାଲୁଥିବା କୁହାଯାଇଛି।
