ୱାସିଂଟନ୍, ୨/୩: ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ତୀବ୍ର ହୋଇଥିବା ପରିପ୍ରେକ୍ଷିତରେ ପିଟ୍ ହେଗସେଥ୍ ସୋମବାର ଇରାନ ବିରୋଧରେ ଆମେରିକାର ସାମରିକ ଅଭିଯାନ ସମ୍ପର୍କରେ ପେଣ୍ଟାଗନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ସେ କହିଥିଲେ ଯେ, ଇରାନ ବିରୋଧରେ ଚାଲିଥିବା ସାମରିକ ଅପରେସନ୍ କୌଣସି ଅନ୍ତହୀନ ଯୁଦ୍ଧ ନୁହେଁ। ଏହାର ଲକ୍ଷ୍ୟ କେବଳ ତେହେରାନର କ୍ଷେପଣାସ୍ତ୍ର କ୍ଷମତା, ନୌସେନା ଶକ୍ତି ଓ ଅନ୍ୟାନ୍ୟ ସୁରକ୍ଷା ଢାଞ୍ଚାକୁ ଧ୍ୱଂସ କରିବା। ଇରାନରୁ ଆସୁଥିବା କ୍ଷେପଣାସ୍ତ୍ର ଆଶଙ୍କାକୁ ନିରସନ କରିବା ସହ ଏହାର ପରମାଣୁ କାର୍ଯ୍ୟକ୍ରମକୁ ଅସକ୍ଷମ କରିବା ହିଁ ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।
ସେ ଆହୁରି କହିଥିଲେ, ଏହା ତଥାକଥିତ “ଶାସନ ପରିବର୍ତ୍ତନ” ପାଇଁ ଯୁଦ୍ଧ ନୁହେଁ। ତଥାପି, ଏହି କାର୍ଯ୍ୟାନୁଷ୍ଠାନ ପରେ ଆଞ୍ଚଳିକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଓ ବିଶ୍ୱ ଏଥିରୁ ଲାଭାନ୍ବିତ ହୋଇଛି ବୋଲି ସେ ଦାବି କରିଥିଲେ। ଆମେ କୌଣସି ଅନୁତାପ ବିନା ଏହି ଆକ୍ରମଣ କରିଛୁ ବୋଲି ସେ କହିଥିଲେ।
ହେଗସେଥ୍ ସ୍ପଷ୍ଟ କରିଥିଲେ ଯେ, ଏହି ଅଭିଯାନର କୌଣସି ନିର୍ଦ୍ଦିଷ୍ଟ ସମୟସୂଚୀ ଘୋଷଣା କରାଯାଇନାହିଁ। ଇରାନ ବିରୋଧରେ ସାମରିକ କାର୍ଯ୍ୟ କେତେଦିନ ଚାଲିବ, ସେଥିପାଇଁ ଶେଷ ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପ ନେବେ ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଇରାନ ଭୂମିଭାଗରେ ଆମେରିକୀୟ ସେନା ନାହାନ୍ତି। କିନ୍ତୁ ପ୍ରୟୋଜନ ପଡ଼ିଲେ ଆମେରିକା ଦ୍ରୁତଗତିରେ ପଦକ୍ଷେପ ନେବ। ସାମ୍ବାଦିକ ସମ୍ମିଳନୀରେ ସେ ପରୋକ୍ଷ ଭାବେ ଇରାନର ନାଗରିକମାନଙ୍କୁ ପରିସ୍ଥିତିର ସୁଯୋଗ ନେଇ ଭବିଷ୍ୟତ୍ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାକୁ ଆହ୍ୱାନ ଦେଇଥିଲେ।
