ପଶ୍ଚିମ ଏସିଆରେ, ଯୁଦ୍ଧଚିନ୍ତାରେ ଭାରତ ବିପଦରେ ଅର୍ଥନୀତି

ଅର୍ଥନୀତି down

ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ଆଶଙ୍କା ଭାରତର ଅର୍ଥନୀତି ପାଇଁ ଚିନ୍ତାର କାରଣ ହୋଇଉଠିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରଭାବ ହଜାର ମାଇଲ୍ ଦୂରେ ଥିବା ଭାରତରେ ମଧ୍ୟ ଅନୁଭବ ହେଉଛି। ଏହି ତଣାତଣି ବିଶ୍ୱ ତୈଳ ବଜାରକୁ ଅସ୍ଥିର କରିଦେଇଛି ଏବଂ ଅଶୋଧିତ ତୈଳର ଦର ପ୍ରତି ବ୍ୟାରେଲ୍ ୮୦ ଡଲାର ଉର୍ଦ୍ଧ୍ୱରେ ପହଞ୍ଚିଛି। ନିଜ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ତେଲ ବିଦେଶରୁ ଆଣୁଥିବା ଭାରତ ପାଇଁ ଏହା ଗଭୀର ଚିନ୍ତାର ବିଷୟ।

ତୈଳ ପରିବହନର ମୁଖ୍ୟ ସମୁଦ୍ରପଥ ‘ହରମୁଜ୍ ପ୍ରଣାଳୀ’ ବନ୍ଦ ହେବା ଆଶଙ୍କା ଆହୁରି ଅସ୍ଥିରତା ସୃଷ୍ଟି କରୁଛି। ଏହାର ପରିଣାମରେ ତେଲ ଦର ବୃଦ୍ଧି ସହ ଅର୍ଥନୈତିକ ବୃଦ୍ଧି ଓ ଦରଦାମ୍‌ରେ ସିଧା ପ୍ରଭାବ ପଡିବା ସମ୍ଭାବନା ରହିଛି। ମଧ୍ୟପ୍ରାଚ୍ୟ, ତୈଳ ବଜାର ଓ ଭାରତୀୟ ଅର୍ଥନୀତି ମଧ୍ୟରେ ଥିବା ଗାଢ଼ ସମ୍ପର୍କ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି।

ଦେଶୀୟ ଉତ୍ପାଦନ କେବଳ ୧୩-୧୫%

ଭାରତରେ ଘରୋଇ ଅଶୋଧିତ ତୈଳ ଉତ୍ପାଦନ ସମଗ୍ର ଚାହିଦାର କେବଳ ୧୩ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ପୂରଣ କରିପାରେ। ଅବଶିଷ୍ଟ ପ୍ରାୟ ୮୫ ପ୍ରତିଶତ ତୈଳ ଆମଦାନୀ ମାଧ୍ୟମରେ ଆଣିବାକୁ ପଡୁଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଘରୋଇ ଅଶୋଧିତ ତୈଳ ଓ କଣ୍ଡେନସେଟ୍ ଉତ୍ପାଦନ ପ୍ରାୟ ୨୩.୫୨ ମିଲିୟନ୍ ମେଟ୍ରିକ୍ ଟନ୍ ଥିଲା। ଦେଶର ମୋଟ ଉତ୍ପାଦନର ୭୯ ପ୍ରତିଶତ ଅଂଶ ସରକାରୀ କମ୍ପାନି ଓଏନଜିସି ଓ ଅଏଲ୍ ଇଣ୍ଡିଆ ଦ୍ୱାରା ଆସୁଛି।

ପୁରୁଣା ତୈଳ କ୍ଷେତ୍ର ହ୍ରାସ ପାଇବା ଯୋଗୁଁ ଉତ୍ପାଦନରେ ବୃଦ୍ଧି ହେଉନାହିଁ, କେତେକ ଅଞ୍ଚଳରେ ହ୍ରାସ ମଧ୍ୟ ଦେଖାଯାଉଛି। ରାଜସ୍ଥାନ ଓ ଆସାମ ସ୍ଥଳଭାଗର ମୁଖ୍ୟ ଉତ୍ପାଦନ କେନ୍ଦ୍ର ହେଉଥିବାବେଳେ ସମୁଦ୍ର ମଧ୍ୟସ୍ଥ ଉତ୍ପାଦନର ମୁଖ୍ୟ ଅଞ୍ଚଳ ହେଉଛି ମୁମ୍ବାଇ ହାଇ। ଚାହିଦା ବଢୁଥିବା ସମୟରେ ଉତ୍ପାଦନ ସେହି ହାରରେ ବଢୁନାହିଁ, ଯାହା ଆମଦାନୀ ନିର୍ଭରତାକୁ ଆହୁରି ଗଭୀର କରୁଛି।

୮୫% ରୁ ଅଧିକ ଆମଦାନୀ ଉପରେ ନିର୍ଭରତା

ଭାରତ ନିଜର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ୮୫ ପ୍ରତିଶତରୁ ଅଧିକ ବିଦେଶରୁ ଆଣୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୨୪୨.୪ ମିଲିୟନ୍ ମେଟ୍ରିକ୍ ଟନ୍ ତୈଳ ଆମଦାନୀ ହୋଇଥିଲା, ଯାହା ପୂର୍ବବର୍ଷ ତୁଳନାରେ ୪.୨ ପ୍ରତିଶତ ଅଧିକ। ଦୈନିକ ହାରାହାରି ୪.୬ ରୁ ୪.୮ ମିଲିୟନ୍ ବ୍ୟାରେଲ୍ ତୈଳ ଭାରତକୁ ଆଣାଯାଉଛି। ଗତ ଆର୍ଥିକ ବର୍ଷରେ ତୈଳ ଓ ପେଟ୍ରୋଲିୟମ ଉତ୍ପାଦ ପାଇଁ ଖର୍ଚ୍ଚ ପ୍ରାୟ ୧୩୨.୪ ବିଲିୟନ୍ ଡଲାରରେ ପହଞ୍ଚିଥିଲା। ପରିବହନ ଖର୍ଚ୍ଚ ଓ ମୂଲ୍ୟର ଅସ୍ଥିରତା ଯୋଗୁଁ ଏହି ବ୍ୟୟ ଆହୁରି ବଢିପାରେ।

ହରମୁଜ୍ ପ୍ରଣାଳୀ ବନ୍ଦ ହେଲେ ବଡ଼ ସଙ୍କଟ

ଇରାନ-ଆମେରିକା-ଇସ୍ରାଏଲ୍ ତଣାତଣି ବଢି ଯଦି ହରମୁଜ୍ ପ୍ରଣାଳୀ ଅବରୋଧ ହୋଇଯାଏ, ତେବେ ଭାରତର ଶକ୍ତି ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହେବ। କେବଳ ଅଶୋଧିତ ତୈଳ ନୁହେଁ, ଏଲ୍‌ପିଜି ଆମଦାନୀ ମଧ୍ୟ ଏଥିରେ ବାଧାପ୍ରାପ୍ତ ହେବ। ଭାରତର ୮୦-୮୫ ପ୍ରତିଶତ ଏଲ୍‌ପିଜି ଏହି ପଥ ଦ୍ୱାରା ଆସେ। ୨୦୨୧ ରୁ ୨୦୨୫ ମଧ୍ୟରେ ହାରାହାରି ୮୫% ଏଲ୍‌ପିଜି, ୫୫% ଏଲ୍‌ଏନ୍‌ଜି ଓ ପ୍ରାୟ ୫୦% ଅଶୋଧିତ ତୈଳ ହରମୁଜ୍ ପ୍ରଣାଳୀ ମାଧ୍ୟମରେ ଆସିଛି।

୨୦୨୫ ଏପ୍ରିଲ୍ ରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଦେଶରେ ୨୮ ମିଲିୟନ୍ ମେଟ୍ରିକ୍ ଟନ୍ ଏଲ୍‌ପିଜି ବ୍ୟବହାର ହୋଇଥିଲା, ଯାହା ପୂର୍ବବର୍ଷ ତୁଳନାରେ ୭.୮% ବୃଦ୍ଧି। ଏହାର ୮୦ ପ୍ରତିଶତ କତର, ୟୁଏଇ, ସାଉଦି ଆରବ ଓ କୁଏତରୁ ଆସୁଛି। ଏହା ସହିତ ଆମେରିକାରୁ ପ୍ରତିବର୍ଷ ୨.୨ ମିଲିୟନ୍ ଟନ୍ ଏଲ୍‌ପିଜି ଆଣିବା ପାଇଁ ଭାରତ ଚୁକ୍ତି କରିଛି, ଯାହା ସମୁଦାୟ ଆମଦାନୀର ପ୍ରାୟ ୧୦ ପ୍ରତିଶତ।

ତୈଳ ମୂଲ୍ୟ ବୃଦ୍ଧିର ଅର୍ଥନୈତିକ ପ୍ରଭାବ

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍ ୧ ଡଲାର ବଢିଲେ ଭାରତର ବାର୍ଷିକ ଆମଦାନୀ ବିଲ୍ ପ୍ରାୟ ୨ ବିଲିୟନ୍ ଡଲାର ବୃଦ୍ଧି ପାଏ। ଯଦି ଦରରେ ୧୦ ଡଲାର ବୃଦ୍ଧି ହୁଏ, ତେବେ ଚଳନ୍ତି ଖାତା ନିଅଣ୍ଟ ବଢିବା ସହିତ ଆମଦାନୀ ବିଲ୍ ପ୍ରାୟ ୧୫,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଧିକ ହୋଇପାରେ।

ସେହିପରି, ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି କେବଳ ଏକ ଅଞ୍ଚଳୀୟ ସମସ୍ୟା ନୁହେଁ; ଏହା ଭାରତର ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତା ସହ ସିଧାସଳଖ ସଂପୃକ୍ତ।

Leave a Reply

Your email address will not be published. Required fields are marked *