ସମ୍ବଲପୁର, ୭ ଜୁଲାଇ (ଇମିସ): ହୀରାକୁଦ ବନ୍ଧର ପରିଚାଳନା ଓ ସୁରକ୍ଷାକୁ ନେଇ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ଓ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯଶୋବନ୍ତ ପରିଡ଼ା ଗୁରୁତର ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି। ବହୁ ବର୍ଷ ଧରି ହୀରାକୁଦ ଜଳ ପରିଚାଳନା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଏହି ଦୁଇ ଅଧିକାରୀ କହିଛନ୍ତି ଯେ, ଛତିଶଗଡ଼ରୁ ହୀରାକୁଦକୁ ଆସୁଥିବା ବନ୍ୟାଜଳ ସମ୍ପର୍କିତ ରିଅଲ୍ ଟାଇମ୍ ତଥ୍ୟ ବର୍ତ୍ତମାନ ମିଳୁନାହିଁ, ଯାହା ବନ୍ୟା ପରିଚାଳନା ପାଇଁ ବଡ଼ ବାଧା ସୃଷ୍ଟି କରୁଛି।

ସେମାନଙ୍କ କହିବା ଅନୁସାରେ, ହୀରାକୁଦ ବନ୍ଧର ଉପରମୁଣ୍ଡରେ ମହାନଦୀର ଜଳପ୍ରବାହ ମାପିବା ପାଇଁ ୮ଟି ଓ ତଳମୁଣ୍ଡରେ ୫ଟି ଗେଜ୍ ଷ୍ଟେସନ୍ ଥିଲା। ଛତିଶଗଡ଼ରେ ବ୍ୟାରେଜ୍ ନିର୍ମାଣ ପରେ କେତେକ ଗେଜ୍ ଷ୍ଟେସନ୍ ଅକାମୀ ହୋଇପଡ଼ିଛି। ଫଳରେ ୨୦୧୮ ମସିହାଠାରୁ ୨୪ ଓ ୪୮ ଘଣ୍ଟା ପୂର୍ବରୁ ବନ୍ୟାଜଳ ପ୍ରବେଶର ସଠିକ୍ ଆକଳନ ସମ୍ଭବ ହେଉନାହିଁ। ତେଣୁ ଗେଜ୍ ଷ୍ଟେସନ୍ଗୁଡ଼ିକର ପୁନଃସ୍ଥାପନ ଆବଶ୍ୟକ ବୋଲି ସେମାନେ କହିଛନ୍ତି।
୨୦୦୪ ମସିହାରେ ସ୍ଥାପିତ ହୋଇଥିବା ଉଚ୍ଚ ତରଙ୍ଗ ବେତାର ବ୍ୟବସ୍ଥା (ହାଇ ଫ୍ରିକ୍ୱେନ୍ସି ୱାୟାରଲେସ୍ ସିଷ୍ଟମ୍) ଅଚଳ ହୋଇପଡ଼ିଛି। ବର୍ତ୍ତମାନ ମୋବାଇଲ୍ ଫୋନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଗେଜ୍ ଷ୍ଟେସନ୍ରେ ନିୟମିତ କର୍ମଚାରୀଙ୍କ ବଦଳରେ ପ୍ରତିନିଧିମାନେ କାର୍ଯ୍ୟ କରୁଛନ୍ତି। ବର୍ଷାଋତୁରେ ୧୦୦ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ମାତ୍ର ୨୦ ଜଣ କାର୍ଯ୍ୟରତ ଅଛନ୍ତି।
ହୀରାକୁଦ ବନ୍ଧରେ ବନ୍ୟାଜଳ ନିଷ୍କାସନ ପାଇଁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ୍ ଗେଟ୍ ସହ ମୋଟ ୯୮ଟି ଗେଟ୍ ରହିଛି। ଏହି ଗେଟ୍ ପରିଚାଳନା ପାଇଁ ଆବଶ୍ୟକ ବିଦ୍ୟୁତଚାଳିତ କ୍ରେନ୍ ଥିଲେ ମଧ୍ୟ ପର୍ଯ୍ୟାପ୍ତ କ୍ରେନ୍ଚାଳକ ଓ ସହାୟକ ନାହାନ୍ତି। ସେହିପରି ଫାଉଣ୍ଡେସନ୍ ଗ୍ୟାଲେରିରୁ ଜଳ ନିଷ୍କାସନ ପାଇଁ ନିୟମିତ ପମ୍ପଚାଳକ ଓ ସହାୟକଙ୍କ ଅଭାବ ରହିଛି। କର୍ମଚାରୀ ଅଭାବ ଯୋଗୁଁ ଗେଟ୍, କ୍ରେନ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ନିୟମିତ ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁନାହିଁ।
ଅବସରପ୍ରାପ୍ତ ଅଧିକାରୀମାନେ କହିଛନ୍ତି, ୧୯୫୯ ମସିହାର ବନ୍ଧ ପରିଚାଳନା ନିୟମ, ୨୦୦୧ର ସଂଶୋଧିତ ନିୟମ ଓ ୨୦୧୬ର ଏସ୍ଓପି ମଧ୍ୟରେ ସମନ୍ୱୟ ନାହିଁ। ଏପର୍ଯ୍ୟନ୍ତ ହୀରାକୁଦ ବନ୍ଧ ପାଇଁ ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ ହୋଇନାହିଁ। ବର୍ତ୍ତମାନ ପାଳନ କରାଯାଉଥିବା ୧୯୮୮ ମସିହାର ରୁଲ୍ କର୍ଭ ବନ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ନୁହେଁ। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମୋଦିତ ସଂଶୋଧିତ ରୁଲ୍ କର୍ଭ ତୁରନ୍ତ ପ୍ରଣୟନ ଆବଶ୍ୟକ।
ସେମାନେ ଆହୁରି କହିଛନ୍ତି, ବନ୍ଧ ସୁରକ୍ଷା ଆଇନ–୨୦୨୧ ଅନୁଯାୟୀ ଏହି ବ୍ୟବସ୍ଥା ବାଧ୍ୟତାମୂଳକ। ପୂର୍ବରୁ ହାଇଡ୍ରୋଲୋଜି ସବ୍ଡିଭିଜନ୍ ଉପରେ ଗେଜ୍ ଷ୍ଟେସନ୍ର ରକ୍ଷଣାବେକ୍ଷଣ ଓ ବନ୍ୟା ପରିଚାଳନାର ଦାୟିତ୍ୱ ଥିଲା। କିନ୍ତୁ ବର୍ତ୍ତମାନ ସେହି ସବ୍ଡିଭିଜନ୍କୁ ଉଠାଇ ଦିଆଯାଇଛି। ଏହା ଫଳରେ ବନ୍ୟାଜଳ ପ୍ରବାହର ଆକଳନ ଓ ବନ୍ଧର ସୁରକ୍ଷା ପ୍ରଭାବିତ ହେଉଛି। ତେଣୁ ହାଇଡ୍ରୋଲୋଜି ଶାଖାକୁ ଦୁର୍ବଳ କରିବା ପରିବର୍ତ୍ତେ ଅଧିକ ସୁଦୃଢ଼ କରିବା ଆବଶ୍ୟକ।
ସେମାନଙ୍କ ମତରେ, ହୀରାକୁଦ ବନ୍ଧର ପୁରୁଣା ହୁଇଲ୍ ଡାଏଲ୍ ଗେଜ୍ ଅକାମୀ ହୋଇପଡ଼ିଥିବାରୁ ଜଳସ୍ତରର ସଠିକ୍ ମାପ ମିଳୁନାହିଁ। ଛତିଶଗଡ଼ ସରକାରଙ୍କ ଜଳସମ୍ପଦ ବିଭାଗ ସହ ରିଅଲ୍ ଟାଇମ୍ ବନ୍ୟା ତଥ୍ୟ ବିନିମୟ ମଧ୍ୟ ବନ୍ଦ ରହିଛି। ଏହାଛଡ଼ା କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ଜଳଭଣ୍ଡାରର କ୍ଷମତା ଓ ମହାନଦୀ ଅବବାହିକାର ଗେଜ୍ ଷ୍ଟେସନ୍ଗୁଡ଼ିକର ଯାଞ୍ଚ ମଧ୍ୟ ହେଉନାହିଁ।
ଅବସରପ୍ରାପ୍ତ ଅଧିକାରୀମାନେ ସତର୍କ କରିଛନ୍ତି ଯେ, ଯଦି ଗେଟ୍ ପରିଚାଳନାରେ କୌଣସି ବିଭ୍ରାଟ ଘଟେ, ତେବେ ହୀରାକୁଦ ବନ୍ଧର ମାଟିବନ୍ଧ ଅଂଶ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ। ତେଣୁ ଏହି ସମସ୍ତ ପ୍ରସଙ୍ଗ ପ୍ରତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
