
ପୁରୀ, ୭ ଜୁଲାଇ (ଇମିସ): ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁଣିଥରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଇସ୍କନ ପକ୍ଷରୁ ବିଦେଶରେ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରିବା ପାଇଁ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ନିର୍ଦ୍ଦିଷ୍ଟ ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ। କିନ୍ତୁ ବାରମ୍ବାର ଆପତ୍ତି, ପରାମର୍ଶ ଓ ଚିଠି ସତ୍ତ୍ୱେ ଇସ୍କନ ବିଭିନ୍ନ ଦେଶରେ ଅନ୍ୟ ତାରିଖରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରି ଆସୁଛି।
ଗଜପତି ମହାରାଜ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସେ ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ ରାଷ୍ଟ୍ରପତିଙ୍କୁ ଏବଂ ଗତବର୍ଷ ଅକ୍ଟୋବର ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହୋଇନଥିବାରୁ ସେ ପୁନର୍ବାର ଏହି ପ୍ରସଙ୍ଗ ଉଠାଇଛନ୍ତି।
ଚିଠିରେ ସେ ଦର୍ଶାଇଛନ୍ତି ଯେ, ମେ ୧ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ୨୮ଟି ସ୍ଥାନରେ ସ୍ନାନଯାତ୍ରା ଆୟୋଜିତ ହୋଇଛି ଏବଂ ହେବାକୁ ଯାଉଛି। ସେହିପରି ମେ ୨ରୁ ଜୁଲାଇ ୫ ତାରିଖ ମଧ୍ୟରେ ୪୫ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ ହୋଇସାରିଛି। ପୁଣି ଜୁଲାଇ ୧୧ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଆହୁରି ୪୦ଟି ସ୍ଥାନରେ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ସେ କହିଛନ୍ତି, ଦେଶ ଓ ବିଦେଶର ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ବିରୋଧ କରୁଛନ୍ତି। ଶାସ୍ତ୍ରୋକ୍ତ ତିଥି ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ଦେଶର ଇସ୍କନ ଶାଖାଗୁଡ଼ିକୁ ଲିଖିତ ଭାବେ ଜଣାଇବା ସହ ପ୍ରାଚୀନ ଶାସ୍ତ୍ରର ପ୍ରମାଣ ମଧ୍ୟ ଦିଆଯାଉଛି। ତଥାପି ଇସ୍କନ ନିଜ ସୁବିଧା ଅନୁଯାୟୀ ଅଦିନିଆ ରଥଯାତ୍ରା ଆୟୋଜନ କରି ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଉଛି।
ଗଜପତି ମହାରାଜ କହିଛନ୍ତି, ସନାତନ ବୈଦିକ ଧର୍ମର ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବାଚାର୍ଯ୍ୟମାନେ ମଧ୍ୟ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଇସ୍କନ ତାହାକୁ ମାନିନଥିବା ସେ ଅଭିଯୋଗ କରିଛନ୍ତି।
ଏହା ସହ ସେ ପଶ୍ଚିମବଙ୍ଗର ମାୟାପୁରସ୍ଥିତ ଇସ୍କନ ମୁଖ୍ୟାଳୟର ଗଭର୍ଣ୍ଣିଂ ବଡି କମିସନର ଅଧ୍ୟକ୍ଷଙ୍କୁ ମଧ୍ୟ ପୁନର୍ବାର ଚିଠି ଲେଖି ବିଦେଶସ୍ଥ ଇସ୍କନ ଶାଖାଗୁଡ଼ିକୁ ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଅନ୍ତତଃ ଆଗାମୀ ଦିନରେ ହେବାକୁ ଥିବା ୪୦ଟି ଅଦିନିଆ ରଥଯାତ୍ରା ଓ ୪ଟି ସ୍ନାନଯାତ୍ରା ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି।
ଚିଠିରେ ଗଜପତି ମହାରାଜ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଦୁଇ ଦଶନ୍ଧି ଧରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ଜନଆକ୍ରୋଶ ସତ୍ତ୍ୱେ ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରାଯାଇପାରିନାହିଁ। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ଗୌରବମୟ ପରମ୍ପରାର ସୁରକ୍ଷା ସହ ଅଗଣିତ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ଉପରେ ରୋକ ଲଗାଇବାକୁ ସେ ନିବେଦନ କରିଛନ୍ତି।
