କଟକ, ୩୦/୦୩: ଏବେ ଟ୍ରେନ୍ରେ ଯାତ୍ରା ସମୟରେ ମୋବାଇଲ୍ ଫୋନ୍ ଚୋରି ହେଲେ ଆଉ ଥାନାକୁ ଯାଇ ଅଭିଯୋଗ କରିବାର ଆବଶ୍ୟକତା ନାହିଁ। ଯାତ୍ରୀମାନେ ଅନଲାଇନ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଅଭିଯୋଗ ଦାଖଲ କରିପାରିବେ
ରେଳ ସୁରକ୍ଷା ବଳ (ଆର୍ପିଏଫ୍) ପକ୍ଷରୁ ସାଇବର୍ ସେଲ୍ ମାଧ୍ୟମରେ ଚୋରି ହୋଇଥିବା ମୋବାଇଲ୍କୁ ତୁରନ୍ତ ବ୍ଲକ୍ କରାଯିବ ଏବଂ କଳା ତାଲିକାରେ ରଖାଯିବ। ଏହା ଫଳରେ ଚୋରା ମୋବାଇଲ୍ରେ କୌଣସି ସିମ୍ କାର୍ଡ ଚାଲିବ ନାହିଁ ଓ ଏହା ବ୍ୟବହାରଯୋଗ୍ୟ ହେବ ନାହିଁ।
ସୂଚନା ଅନୁଯାୟୀ, ଜଳେଶ୍ୱର, ଭଦ୍ରକ, ଯାଜପୁର ରୋଡ଼, କଟକ, ଭୁବନେଶ୍ୱର ଓ ପୁରୀ ରେଳଷ୍ଟେସନରେ ଚୋରା ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି ଏବଂ ମୋବାଇଲ୍ ଲୁଟ୍ ଘଟଣା ବଢ଼ିଛି। ଏହି ଚୋରା ଫୋନ୍ଗୁଡ଼ିକୁ ପଶ୍ଚିମବଙ୍ଗ ମାଧ୍ୟମରେ ଟ୍ରେନ୍ ଯୋଗେ ହାୱଡ଼ାକୁ ପଠାଯାଉଛି।
ପରେ ଏହି ଫୋନ୍ଗୁଡ଼ିକର ଫଟୋ ହ୍ୱାଟସଆପ୍ ଗ୍ରୁପ୍ରେ ଅପଲୋଡ଼ କରାଯାଇ ବାଂଲାଦେଶ ଓ ନେପାଳର ବ୍ୟବସାୟୀମାନଙ୍କ ମଧ୍ୟରେ ନିଲାମ ହେଉଛି। ତା’ପରେ ମାଲଦା, ପୁରୁଲିଆ ଓ ବିଭିନ୍ନ ସୀମା ଅଞ୍ଚଳ ମାଧ୍ୟମରେ ଏହି ମୋବାଇଲ୍ ବିଦେଶକୁ ପଠାଯାଉଛି।
ଏହି ପରିସ୍ଥିତିକୁ ରୋକିବା ପାଇଁ ଆର୍ପିଏଫ୍ ଓ ଟେଲିକମ୍ ବିଭାଗ ମିଳିତ ଭାବେ “ରେଲ୍ ମଦତ” ସେବା ଆରମ୍ଭ କରିଛନ୍ତି। ମୋବାଇଲ୍ ଚୋରି ହେଲେ ଯାତ୍ରୀମାନେ “ରେଲ୍ ମଦତ” ଆପ୍ କିମ୍ବା ୧୩୯ ନମ୍ବରକୁ ଯୋଗାଯୋଗ କରିପାରିବେ।
ଏହା ସହିତ ସେଣ୍ଟ୍ରାଲ୍ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର (CEIR) ପୋର୍ଟାଲରେ ମଧ୍ୟ ଅଭିଯୋଗ ପଞ୍ଜୀକରଣ କରିବାକୁ ପଡ଼ିବ। ଆର୍ପିଏଫ୍ର ଜୋନାଲ୍ ସାଇବର୍ ସେଲ୍ ତୁରନ୍ତ ମୋବାଇଲ୍କୁ ବ୍ଲକ୍ କରିଦେବ।
ଯାତ୍ରୀମାନେ ଆବଶ୍ୟକତା ପଡ଼ିଲେ ଆର୍ପିଏଫ୍ ଓ ଟିଟିଇଙ୍କ ସହଯୋଗ ନେଇପାରିବେ। ସେହିପରି, ନିଜ ମୋବାଇଲ୍ର ୧୫ ଅଙ୍କର ଆଇଏମ୍ଇଆଇ ନମ୍ବରକୁ ସୁରକ୍ଷିତ ଭାବେ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି, ଯାହା ଅଭିଯୋଗ ସମୟରେ ଦରକାର ପଡ଼ିବ।
କଟକ ଆର୍ପିଏଫ୍ରେ ବର୍ତ୍ତମାନ ସୁଦ୍ଧା ଅନଲାଇନ୍ ମାଧ୍ୟମରେ ୬ଟି ଅଭିଯୋଗ ଆସିଥିବାବେଳେ, ସେଥିରୁ ୪ଟି ମୋବାଇଲ୍ ଜବତ କରାଯାଇଛି।
