ଯୁଦ୍ଧ ପରିସ୍ଥିତିରେ ସତର୍କତା, ସ୍ୱାଡକୁ ୨୪ ଘଣ୍ଟିଆ ଆକ୍ସନ ମୋଡ଼ରେ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୦/୦୩: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍ୱାଡକୁ ୨୪ ଘଣ୍ଟିଆ ଆକ୍ସନ ମୋଡ଼ରେ ରଖିବାକୁ ସେ କହିଛନ୍ତି।

ଲୋକସେବା ଭବନରେ ଆଜି ଆୟୋଜିତ ଆଭାସୀ ବୈଠକରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ପଚାରି ବୁଝିଥିଲେ ଏବଂ ଅବସ୍ଥାର ସମୀକ୍ଷା କରିଥିଲେ।

କଳାବଜାରି ଓ ବେଆଇନ ମହଜୁଦକାରୀଙ୍କୁ ରୋକିବା ପାଇଁ ବଜାର ଉପରେ ନିୟମିତ ନଜର ରଖିବାକୁ ଓ ଅନୁଚିତ କାର୍ଯ୍ୟକଳାପ ଦେଖାଗଲେ କଡ଼ା ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଭୁଲ ଖବର ପ୍ରଚାର କରି ଭୟ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସୋସିଆଲ ମିଡିଆ ଉପରେ ଖାସ୍ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ଓ ଜିଲ୍ଲା ସ୍ତରରେ କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ ଗ୍ରୁପ୍‌ ଗଠନ କରାଯାଇଥିବା ସହ ସମନ୍ୱୟ ରଖି ସମସ୍ତ ଆବଶ୍ୟକ ସାମଗ୍ରୀ ନିୟମିତ ଉପଲବ୍ଧ ହେବାକୁ ଗୁରୁତ୍ୱ ଦିଆଯାଇଛି। ପେଟ୍ରୋଲ୍‌, ଡିଜେଲ୍‌, ଗ୍ୟାସ୍‌, ସାର ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁର ଉପଲବ୍ଧତା ଉପରେ ଜିଲ୍ଲାପାଳମାନେ ନିୟମିତ ତଦାରଖ କରିବେ।

ସେହିପରି, ଲୋକମାନେ ଭୟଭୀତ ନ ହେବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ମଧ୍ୟ କୁହାଯାଇଛି। ଗତ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଉଲ୍ଲେଖ କରି ସେ କହିଥିଲେ, ‘ଟିମ୍‌ ଇଣ୍ଡିଆ’ ମନୋଭାବରେ ସମନ୍ୱିତ ଭାବେ କାମ କରିବା ଅତ୍ୟନ୍ତ ଆବଶ୍ୟକ।

ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂହ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଅଞ୍ଚଳର ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ।ଏହି ବୈଠକରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶାଶ୍ୱତ ମିଶ୍ର, ପୁଲିସ ମହାନିର୍ଦ୍ଦେଶକ ଆଇ.ବି. ଖୁରାନିଆ, ଉଷା ପାଢ଼ୀ, ଚିତ୍ରା ଅରୁମୁଗମ୍‌ ସହ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *