ରାସନ କାର୍ଡ଼ଧାରୀଙ୍କୁ ମାସକୁ ଅତିରିକ୍ତ ୫ କେଜି ଚାଉଳ
ବର୍ଷକୁ ଖର୍ଚ୍ଚ ହେବ ୮,୮୧୩ କୋଟି ଟଙ୍କା
ଭୁବନେଶ୍ୱର, ୪/୪ : ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ଆରମ୍ଭ କରିଛନ୍ତି। ଏହା ଅନୁସାରେ ଏଣିକି ରାସନ କାର୍ଡ଼ଧାରୀଙ୍କୁ ମାସକୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ମିଳିବ।
ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ପରିବାରମାନେ ଏହାର ସୁବିଧା ପାଇବେ।
ଏହି ଯୋଜନାରେ ପ୍ରାୟ ୧ କୋଟି ୬ ଲକ୍ଷରୁ ଅଧିକ ପରିବାର ଏବଂ ୩.୨୮ କୋଟି ଲୋକ ଉପକୃତ ହେବେ। ପ୍ରତିମାସ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଣ୍ଟନ ହେବା ସହ ବର୍ଷକୁ ଏହା ୧୯.୭୧ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିବ।
ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରତିମାସ ପ୍ରାୟ ୭୩୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ବାର୍ଷିକ ଖର୍ଚ୍ଚ ୮,୮୧୩ କୋଟି ଟଙ୍କା ହେବ ବୋଲି ଆନୁମାନ କରାଯାଇଛି। ଏହି ଯୋଜନା ରାଜ୍ୟର ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ବଡ଼ ସହାୟତା ହେବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।
