ତେହେରାନ/ୱାଶିଂଟନ, ୪/୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଅସ୍ତ୍ରବିରତି ପାଇଁ ପାକିସ୍ତାନର ମଧ୍ୟସ୍ଥତାରେ ଚାଲିଥିବା କୂଟନୈତିକ ପ୍ରୟାସ ଆଜି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଏହା ସହିତ ଏହି ଅଞ୍ଚଳରେ ଲମ୍ବା ସମୟର ଯୁଦ୍ଧ ଆଶଙ୍କା ଆହୁରି ବଢ଼ିଯାଇଛି। ଇରାନ ଅସ୍ତ୍ରବିରତି ପ୍ରସ୍ତାବ ଏବଂ ଇସଲାମାବାଦରେ ଆୟୋଜିତ ହେବାକୁ ଥିବା ବୈଠକର ନିମନ୍ତ୍ରଣକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ଫଳରେ ପାକିସ୍ତାନ ଦ୍ୱାରା ଆରମ୍ଭ ହୋଇଥିବା ମଧ୍ୟସ୍ଥତା ପ୍ରୟାସକୁ ଗୁରୁତର ଧକ୍କା ଲାଗିଛି।
ପାକିସ୍ତାନ, ତୁର୍କୀ ଓ ଇଜିପ୍ଟ ଭଳି ଆଞ୍ଚଳିକ ଶକ୍ତିମାନେ ଯୁଦ୍ଧବିରତି ପାଇଁ ଚେଷ୍ଟା କରୁଥିଲେ ମଧ୍ୟ, ଏହା ଭଣ୍ଡୁର ହୋଇଯାଇଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ବିଫଳତା ପଛରେ ଆମେରିକାର କଠୋର ୧୫-ଦଫା ସର୍ତ୍ତ ମୁଖ୍ୟ କାରଣ। ଇରାନ ସ୍ପଷ୍ଟ କରିଛି ଯେ ସେମାନେ ଆମେରିକାର କୌଣସି ସର୍ତ୍ତକୁ ମାନିବେ ନାହିଁ ଏବଂ ନିଜ ସାର୍ବଭୌମତ୍ୱ ଉପରେ କୌଣସି ବୁଝାମଣା କରିବେ ନାହିଁ। ଏହା ସହିତ ଇରାନ ପାକିସ୍ତାନର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି, ଯାହା ଭବିଷ୍ୟତ ଆଲୋଚନାକୁ ଆହୁରି ଜଟିଳ କରିଦେଇଛି। ଇରାନର ଅଧିକାରୀମାନେ ମଧ୍ୟସ୍ଥିମାନଙ୍କୁ ଜଣାଇଛନ୍ତି ଯେ, ପ୍ରସ୍ତାବିତ ଇସଲାମାବାଦ ଶିଖର ସମ୍ମିଳନୀରେ ସେମାନଙ୍କ ଅଂଶଗ୍ରହଣର ପ୍ରଶ୍ନ ଉଠୁନାହିଁ। ସେମାନେ ଏହାକୁ ଏଭଳି ସମ୍ବେଦନଶୀଳ ଆଲୋଚନା ପାଇଁ ଉପଯୁକ୍ତ ମଞ୍ଚ ଭାବେ ଗ୍ରହଣ କରିବାକୁ ଅସ୍ବୀକାର କରିଛନ୍ତି। ଏହି ପରିସ୍ଥିତିରେ ପାକିସ୍ତାନ ଏକ ପ୍ରମୁଖ ମଧ୍ୟସ୍ଥି ଭାବେ ଉଭା ହେବାର ଆଶା ଧୂଳିସାତ୍ ହୋଇଥିବା ବେଳେ, ବର୍ତ୍ତମାନ କତାର ଓ ଓମାନ ଭଳି ପ୍ରତିଷ୍ଠିତ ମଧ୍ୟସ୍ଥିମାନଙ୍କ ଉପରେ ଭରସା ବଢ଼ିଛି।
