କଞ୍ଚାମାଲ୍‌ ଓ କେମିକାଲ୍‌ ଦର ଆକାଶଛୁଆଁ

ବାଲେଶ୍ୱର, ୫/୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱସ୍ତରରେ ପଡ଼ିବା ସହ ଭାରତରେ ଏଲପିଜି ସଙ୍କଟ ଓ ପେଟ୍ରୋଲ୍‌ ଚିନ୍ତା ବଢ଼ିଛି। ବିଶେଷ କରି ଶିଳ୍ପ ଖାତରେ ଏହାର ପ୍ରଭାବ ଅଧିକ ଦେଖାଦେଇଛି। ବାଲେଶ୍ୱର ଜିଲ୍ଲାରେ କଞ୍ଚାମାଲ୍‌ ଓ କେମିକାଲ୍‌ ଅଭାବ ଯୋଗୁଁ ଏକାଧିକ ପ୍ଲାଷ୍ଟିକ୍‌ ଶିଳ୍ପସଂସ୍ଥାରେ ତାଲା ପଡ଼ିଛି। ଯୁଦ୍ଧ ପରିସ୍ଥିତିରେ ଅଶୋଧିତ ତେଲ (କ୍ରୁଡ୍‌ ଅଏଲ୍‌)ର ଦର ବୃଦ୍ଧି ଓ ଯୋଗାଣରେ ବାଧା ସୃଷ୍ଟି ହେବା ଏହାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ଗତ ସପ୍ତାହରୁ କ୍ରୁଡ୍‌ ଅଏଲ୍‌ର ଦର ବ୍ୟାରେଲ୍‌ ପ୍ରତି ୧୦୦ ଡଲାର୍‌ ଅତିକ୍ରମ କରି ୧୧୧ ଡଲାର୍‌ରେ ପହଞ୍ଚିଛି। ଏହାର ପ୍ରଭାବରେ ପ୍ଲାଷ୍ଟିକ୍‌ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍‌ର ଦର ଅହେତୁକ ଭାବେ ବଢ଼ିଛି। ହାଇ ଡେନ୍‌ସିଟି ପଲିଏଥିଲିନ୍‌ (ଏଚ୍‌ଡିପିଇ )ର ଦାମ ଟନ୍‌ ପ୍ରତି ୯୧ ହଜାର ଟଙ୍କାରୁ ବଢ଼ି ୧.୬ ଲକ୍ଷ ଟଙ୍କାକୁ ପହଞ୍ଚିଛି। ଲିନିଅର୍‌ ଲୋ ଡେନ୍‌ସିଟି ପଲିଏଥିଲିନ୍‌ (ଏଲ୍‌ଏଲ୍‌ଡିପିଇ) ଓ ପଲି ଭିନାଇଲ୍‌ କ୍ଲୋରାଇଡ୍‌ ( ପିଭିସି )ର ଦାମ ମଧ୍ୟ ବଢ଼ିଛି। ସେହିପରି ନାଫ୍‌ଥା, ଏଥିଲିନ୍‌ ଓ ପ୍ରୋପାଇଲିନ୍‌ ପରି କେମିକାଲ୍‌ ଦର ଉପରମୁହାଁ ହୋଇଛି।

ବାଲେଶ୍ୱରର ଗଣେଶ୍ୱରପୁର ଶିଳ୍ପାଞ୍ଚଳରେ ପ୍ଲାଷ୍ଟିକ୍‌ ସାମଗ୍ରୀ ଉତ୍ପାଦନ କରୁଥିବା ୨୦ରୁ ଅଧିକ ଶିଳ୍ପସଂସ୍ଥା ପ୍ରଭାବିତ ହୋଇଛି। ଜଗଦମ୍ବା ପଲିମର୍ସ ଓ ହରିପ୍ଲାଣ୍ଟ ଭଳି ବଡ଼ ଶିଳ୍ପସଂସ୍ଥାର ଉତ୍ପାଦନ ପ୍ରାୟ ୭୦ ପ୍ରତିଶତ କମିଯାଇଛି, ଯେଉଁଠାରେ ଅନେକ ଛୋଟ ଇଉନିଟ୍‌ରେ ସମ୍ପୂର୍ଣ୍ଣ ତାଲା ପଡ଼ିଛି। ଏହାର ପରିଣାମରେ ଗତ ୧୫ ଦିନ ଧରି ପ୍ରାୟ ହଜାରେରୁ ଅଧିକ ଶ୍ରମିକ କାମହୀନ ହୋଇ ବସିଛନ୍ତି। ଆର୍‌. ସିଂହ ନାମକ ଜଣେ କର୍ମଚାରୀ କହିଛନ୍ତି, ଅନେକ ଶ୍ରମିକ କାମ ପାଉନାହାନ୍ତି ଏବଂ ଠିକା କର୍ମଚାରୀମାନଙ୍କୁ ମଧ୍ୟ କାମ ମିଳୁନାହିଁ। କଞ୍ଚାମାଲ୍‌ ଓ କେମିକାଲ୍‌ର ଦର ବୃଦ୍ଧି ଫଳରେ ଶିଳ୍ପମାଲିକ ଓ ଶ୍ରମିକ ଉଭୟ ଚିନ୍ତାରେ ପଡ଼ିଛନ୍ତି। ସରକାର ଯଦି ଶୀଘ୍ର ସହାୟତା ନ ଦିଅନ୍ତି, ତେବେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *