ଓଡ଼ିଶାରେ ତାପଦାହ ଜାରି: ୪୦° ଉପରେ ୧୮ ସହର, ଝାରସୁଗୁଡ଼ା ସବୁଠୁ ଗରମ

heat in odhia

ଭୁବନେଶ୍ୱର, ୨୪ ଏପ୍ରିଲ: ଓଡ଼ିଶାରେ ତାପଦାହର ପ୍ରକୋପ ଜାରି ରହିଛି। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୪.୮ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି। ଏହା ଦେଶର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ଥିଲା। ପ୍ରୟାଗରାଜରେ ୪୫.୨ ଡିଗ୍ରି ସହ ଦେଶର ସର୍ବାଧିକ ତାପମାତ୍ରା ରହିଥିଲା।

ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ରେ ୪୪ ଡିଗ୍ରି, ସମ୍ବଲପୁରରେ ୪୩.୬ ଡିଗ୍ରି, ହୀରାକୁଦରେ ୪୩.୪ ଡିଗ୍ରି, ଅନୁଗୁଳରେ ୪୩.୧ ଡିଗ୍ରି ଏବଂ ବଲାଙ୍ଗୀରରେ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ, ଗତକାଲି ତୁଳନାରେ କଟକ ଓ ଭୁବନେଶ୍ୱରର ତାପମାତ୍ରା କିଛି କମିଛି। କଟକରେ ୩୮.୪ ଡିଗ୍ରି ଏବଂ ଭୁବନେଶ୍ୱରରେ ୩୯.୪ ଡିଗ୍ରି ରେକର୍ଡ ହୋଇଛି।

ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭବ ହେବାର ସମ୍ଭାବନା ରହିଛି। ଏହିକାରଣରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କାଳବୈଶାଖୀ ବର୍ଷାର ସମ୍ଭାବନା

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡ଼ାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଅପରାହ୍ନ ସମୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

୨୬ ତାରିଖରୁ ଗରମ କମିପାରେ

୨୬ ଏପ୍ରିଲଠାରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବଢ଼ିବାରୁ ଗରମ, ଗୁଳୁଗୁଳି ଓ ତାପଦାହରୁ କିଛି ରାହାତ ମିଳିପାରେ। ଆସନ୍ତା ୨ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପରବର୍ତ୍ତୀ ସମୟରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ପୂର୍ବାନୁମାନ ରହିଛି।

ଭୁବନେଶ୍ୱର ପାଇଁ ପୂର୍ବାନୁମାନ

ଆସନ୍ତାକାଲି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ଏବଂ ସର୍ବନିମ୍ନ ୨୬ ଡିଗ୍ରି ମଧ୍ୟରେ ରହିବ।

Leave a Reply

Your email address will not be published. Required fields are marked *