ପୁଣିଥରେ ବିବାଦରେ ଛନ୍ଦି ହୋଇଛି ବାଲେଶ୍ୱରସ୍ଥିତ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ। ପୂର୍ବରୁ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଏହି ମହାବିଦ୍ୟାଳୟ ପୁଣି ଏକ ନୂତନ ଅଭିଯୋଗର ସମ୍ମୁଖୀନ ହୋଇଛି। କଲେଜର ଓଡ଼ିଆ ବିଭାଗର ତତ୍କାଳୀନ ମୁଖ୍ୟ ଡ଼. ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଛାତ୍ରୀମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ପ୍ରଥମେ ଜଣେ ଛାତ୍ରୀ ବେନାମୀ ଚିଠି ମାଧ୍ୟମରେ ଡ଼. ନାୟକ ତାଙ୍କୁ ପ୍ରେମ ନିବେଦନ କରୁଥିବା ଅଭିଯୋଗ କରିଥିଲେ। ପରେ କଲେଜ କର୍ତ୍ତୃପକ୍ଷ ତଦନ୍ତ କରିଥିଲେ ମଧ୍ୟ ସେହି ଛାତ୍ରୀ ସାମ୍ନାକୁ ଆସିନଥିଲେ। ତେବେ ଡ଼. ନାୟକଙ୍କୁ ବିଭାଗମୁଖ୍ୟ ପଦରୁ ହଟାଯାଇଥିଲା।
ଏହାପରେ ହଠାତ୍ ୮ ଜଣ ଛାତ୍ରୀ ଓ ଜଣେ ଛାତ୍ର ସାମ୍ନାକୁ ଆସି ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଡ଼. ନାୟକ ଛାତ୍ରୀମାନଙ୍କୁ ଚାନ୍ଦିପୁର ବେଳାଭୂମି ଓ ନିଜ ରୁମକୁ ଡାକୁଥିଲେ। କ୍ଲାସରେ ପାଠ ପଢ଼ାଇବା ଅପେକ୍ଷା ଅନ୍ୟ ବିଷୟରେ ଅଧିକ କଥା ହେଉଥିଲା। ହ୍ୱାଟସଆପ୍ରେ ଅଶ୍ଳୀଳ ସନ୍ଦେଶ ପଠାଇବା, ଭିନ୍ନଭିନ୍ନ ନାମରେ ଡାକିବା, ଛୁଇଁବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।
ଅଭିଯୋଗକାରୀମାନେ କହିଛନ୍ତି, ତାଙ୍କ କଥା ନମାନିଲେ ସେମିଷ୍ଟାରରେ ବ୍ୟାକ୍ କିମ୍ବା ଫେଲ୍ କରିଦେବାକୁ ଧମକ ଦିଆଯାଉଥିଲା। ନିଜ ପକ୍ଷର କିଛି ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଆଗୁଆ ଦେବା ଓ ନିଜେ ଲେଖିଥିବା ବହି କିଣିବାକୁ ବାଧ୍ୟ କରିବା ଅଭିଯୋଗ ମଧ୍ୟ ରହିଛି।
ଆଜି ଅଭିଯୋଗକାରୀମାନେ ଅଧ୍ୟକ୍ଷ ଦୀନେଶ ଦାସଙ୍କୁ ଭେଟି ତଦନ୍ତରେ ନିଷ୍କ୍ରିୟତା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାର ରିପୋର୍ଟ ସରକାରଙ୍କୁ ପଠାଯାଇଥିବା କୁହାଯାଇଛି। ତଥାପି ଗୁରୁତର ଅଭିଯୋଗ ସତ୍ତ୍ୱେ କଲେଜ ପକ୍ଷରୁ କାହିଁକି କଠୋର ପଦକ୍ଷେପ ନିଆଯାଇନି, ସେନେଇ ପ୍ରଶ୍ନ ଉଠିଛି।
