ଭୁବନେଶ୍ୱରରେ ମାରାଥନ୍‌ ବୈଠକ କରି ସଂଗଠନକୁ ମଜଭୂତ କରିବାର ବାର୍ତ୍ତା ଦେଲେ ନିତିନ ନବୀନ

ନିତିନ ନବୀନ

ଭୁବନେଶ୍ୱର, ୧୮ ମଇ: ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଆଜି ଭୁବନେଶ୍ୱରରେ ଦିନତମାମ ମାରାଥନ୍‌ ବୈଠକ କରି ଦଳୀୟ ସଂଗଠନକୁ ଅଧିକ ମଜଭୂତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସକାଳୁ ଆରମ୍ଭ ହୋଇଥିବା ତାଙ୍କ କାର୍ଯ୍ୟକ୍ରମ ରାତି ପର୍ଯ୍ୟନ୍ତ ଚାଲିଥିଲା। ବିଭିନ୍ନ ସ୍ତରର ଦଳୀୟ କର୍ମକର୍ତ୍ତା, ଜନପ୍ରତିନିଧି ଓ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସେ ସଂଗଠନର ସ୍ଥିତି ପରଖିଥିଲେ ଏବଂ ଆଗାମୀ ଦିନ ପାଇଁ ଦିଗନିର୍ଦ୍ଦେଶ ଦେଇଥିଲେ

ସକାଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍‌ କମିଟି ବୈଠକରେ ଯୋଗ ଦେଇ ନିତିନ ନବୀନ ସଂଗଠନ ଓ ସରକାର ମଧ୍ୟରେ ଭଲ ସମନ୍ୱୟ ରଖିବା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ସଂଗଠନୀୟ କାମରେ ଅଳ୍ପ ସଫଳତାରେ ସନ୍ତୁଷ୍ଟ ହେଲେ ଚାଲିବ ନାହିଁ ଏବଂ ନିରନ୍ତର ପ୍ରୟାସ ଜାରି ରଖିବାକୁ ପଡ଼ିବ

ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟ ପାଲ୍‌ ସିଂହ ତୋମାର ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ

ବୈଠକରେ ସରକାରଙ୍କ ଲୋକକଲ୍ୟାଣମୂଳକ ଯୋଜନାଗୁଡ଼ିକୁ କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚାଇହେବ ଏବଂ ସରକାର କିପରି ଆହୁରି ଲୋକବିଶ୍ୱାସ ଅର୍ଜନ କରିପାରିବ, ସେନେଇ ଆଲୋଚନା ହୋଇଥିଲା। ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସକ୍ରିୟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା

କୋର୍‌ କମିଟି ବୈଠକ ପରେ ନିତିନ ନବୀନ ଜଟଣୀ ଯାଇଥିଲେ। ସେଠାରେ ଏଆଇପିଏବ୍‌ ପରିସରରେ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ଉଦ୍‌ଘାଟନ କରିଥିଲେ। କର୍ମକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ ସେ ସଂଗଠନ ପ୍ରତି ନିଷ୍ଠା ଓ ସକ୍ରିୟତା ରଖିବାକୁ ଆହ୍ୱାନ କରିଥିଲେ

ପରେ ସେ ପୁରୀ ଯାଇ ସପରିବାର ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହାପରେ ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଂସଦ, ବିଧାୟକ ଓ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀମାନଙ୍କ ସହ ବୈଠକ କରିଥିଲେ

ଏହି ବୈଠକରେ ଦଳ ଓ ସଂଗଠନକୁ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ ରଖାଯିବ ଏବଂ ନିର୍ବାଚନୀ ରାଜନୀତିରେ ସ୍ଥାୟୀ ସଫଳତା ଲଭ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନିତିନ ନବୀନ କହିଥିଲେ ଯେ, କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ଦଳର ସବୁଠୁ ବଡ଼ ପ୍ରଚାର ମାଧ୍ୟମ। ତେଣୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଏହି ଯୋଜନାଗୁଡ଼ିକୁ ବୁଥ୍‌ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ

ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱମଞ୍ଚରେ ଗୌରବମୟ ସ୍ଥାନ ଅର୍ଜନ କରିଛି। “ରାଷ୍ଟ୍ର ସର୍ବୋପରି” ଭାବନାକୁ ନେଇ ସରକାର କାମ କରୁଥିବା ବେଳେ ସେହି ମନୋଭାବକୁ ନେଇ କାର୍ଯ୍ୟକର୍ତ୍ତାମାନେ ମଧ୍ୟ କାମ କରିବା ଆବଶ୍ୟକ

ସାମାଜିକ ଗଣମାଧ୍ୟମରେ ସରକାରଙ୍କ ଭାବମୂର୍ତ୍ତିକୁ ନେଇ ବିରୋଧୀ ଦଳ ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ କରି ସେ କାର୍ଯ୍ୟକର୍ତ୍ତାମାନଙ୍କୁ ସତର୍କ ରହିବାକୁ କହିଥିଲେ। ଡିଜିଟାଲ୍‌ ପ୍ଲାଟଫର୍ମକୁ ଅଧିକ ବ୍ୟବହାର କରି ସରକାରଙ୍କ ଲୋକାଭିମୁଖୀ କାମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ

ଏହାପରେ ନିତିନ ନବୀନ ରାଜ୍ୟର ମନ୍ତ୍ରୀମାନଙ୍କ ସହ ଅଲଗା ବୈଠକ କରିଥିଲେ। ମନ୍ତ୍ରୀମାନେ ନିଜ ନିଜ ବିଭାଗର ଦୁଇ ବର୍ଷର କାର୍ଯ୍ୟଦକ୍ଷତା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ। କିଛି ମନ୍ତ୍ରୀ ରିପୋର୍ଟ ପୁସ୍ତିକା ମଧ୍ୟ ପ୍ରଦାନ କରିଥିଲେ। ସଂଗଠନକୁ ମଜଭୂତ କରିବାରେ ମନ୍ତ୍ରୀମାନଙ୍କ ଦାୟିତ୍ୱ ଓ ସରକାର-ସଂଗଠନ ସମନ୍ୱୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ରାତିରେ ନିତିନ ନବୀନ ନୂଆଦିଲ୍ଲୀ ଫେରିଯାଇଥିଲେ। ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିବାରୁ ରାଜ୍ୟ ବିଜେପି ପକ୍ଷରୁ ଏହାକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସବୁଠାରେ ତାଙ୍କୁ ଉତ୍ସାହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା ଏବଂ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *