ବିଶ୍ୱବିଦ୍ୟାଳୟ ନିଯୁକ୍ତିକୁ ନେଇ କଠୋର ହେଲା ଉଚ୍ଚଶିକ୍ଷା ବିଭାଗ

ବିନା ଅନୁମତିରେ ଆଉ ହେବ ନାହିଁ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିନା ଅନୁମତିରେ ନିଯୁକ୍ତିକୁ ନେଇ ଉଚ୍ଚଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଗକୁ ବିଭାଗର ପୂର୍ବ ଅନୁମୋଦନ ବିନା କୌଣସି ନିଯୁକ୍ତି କଲେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଯାଇଛି।

ଅରବିନ୍ଦ ଅଗ୍ରୱାଲ ସମସ୍ତ କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, କେତେକ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ଅନୁମତି ବିନା ନିଯୁକ୍ତି ଦେଇଥିବାରୁ ପରେ ଆଇନଗତ ଓ ପ୍ରଶାସନିକ ସମସ୍ୟା ସୃଷ୍ଟି ହେଉଛି। ନିଯୁକ୍ତ କର୍ମଚାରୀମାନେ ପରେ ନିୟମିତକରଣ ଦାବି କରୁଥିବାରୁ ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି।

ଚିଠିରେ ଉଲ୍ଲେଖ ରହିଛି ଯେ, “ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯”ର ଧାରା ୨୨ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ପଦବୀ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ। ଏହି ନିୟମ ଅମାନ୍ୟ କରି ନିଯୁକ୍ତି କଲେ ସମ୍ପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ବିଭାଗର ପୂର୍ବ ଅନୁମୋଦନ ବିନା ଅନୁମୋଦିତ କିମ୍ବା ଅଣ-ଅନୁମୋଦିତ ପଦବିରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ସେବା ନିୟମିତକରଣ ପାଇଁ କୌଣସି ଦାବି ବିଚାର କରାଯିବ ନାହିଁ।

ସେଥିସହ ଅନ୍ୟ ଏକ ଚିଠିରେ ବିଭାଗ କହିଛି ଯେ, ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ୱୟଂଶାସିତ ସଂସ୍ଥା ହେତୁ ସେଠାକାର କର୍ମଚାରୀମାନେ ସରକାରୀ କର୍ମଚାରୀ ଭାବେ ଗଣ୍ୟ ହେବେ ନାହିଁ। ସେମାନେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ନିୟମାବଳୀ ଅନୁଯାୟୀ ପରିଚାଳିତ ହେବେ।

Leave a Reply

Your email address will not be published. Required fields are marked *