କଟକ, ୨୪/୫: ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ଖୁବ୍ଶୀଘ୍ର ଦଳ ଛାଡ଼ିପାରନ୍ତି ବୋଲି ସୂଚନା ମିଳୁଛି। ସେ ବର୍ତ୍ତମାନ ରାଜ୍ୟ ବାହାରେ ଥିବାରୁ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
ସୂତ୍ର ଅନୁସାରେ, ଦେବାଶିଷ ବିଜେଡି ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି। ପରେ ବିଜେପି ପକ୍ଷରୁ ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଯିବାର ସମ୍ଭାବନା ନେଇ ଆଲୋଚନା ଚାଲିଛି।
ଏହି ଘଟଣା ସତ ହେଲେ କଟକ ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଦଳ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି।
ଦଳ ଭିତରେ ତାଙ୍କ ଅନୁଗତମାନଙ୍କୁ ଗୁରୁତ୍ୱ ନ ମିଳିବା ସହ ତାଙ୍କୁ ଦିଆଯାଇଥିବା ବରିଷ୍ଠ ଉପସଭାପତି ପଦକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଗତ କିଛି ମାସ ଧରି ସେ ଦଳୀୟ ପରିବର୍ତ୍ତନ ସମ୍ପର୍କରେ କୌଣସି ଟୀକା-ଟିପ୍ପଣୀ ଦେବାରୁ ମଧ୍ୟ ଦୂରେଇ ରହୁଥିଲେ।
ଦେବାଶିଷ ଯଦି ବିଜେପିରେ ଯୋଗ ଦିଅନ୍ତି, ତେବେ ଏହାର ପ୍ରଭାବ ତିର୍ତ୍ତୋଲ ଓ ପାରାଦୀପ ସହ କଟକ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିପାରେ।
