ହାଟଡିହି, ୧୮/୨ (ଇମିସ): ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। କିଛି ସ୍କୁଲରେ ଶିକ୍ଷକମାନେ ନିୟମିତ ଭାବେ ଉପସ୍ଥିତ ନ ରହିବା ନେଇ ଅଭିଯୋଗ ଉଠିଛି। ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହାଟଡିହି ବିଡିଓ ରଞ୍ଜନ କୁମାର ପରିଡ଼ା ସାହାପୁର ସ୍କୁଲରେ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହାଟଡିହି ବ୍ଲକର କିଛି ବିଦ୍ୟାଳୟରେ ଶିକ୍ଷକମାନେ ମନଇଚ୍ଛା ଅନୁସାରେ ସ୍କୁଲକୁ ଆସୁଥିବାରୁ ପାଠଦାନ କାର୍ଯ୍ୟ ପ୍ରଭାବିତ ହେଉଛି। ଶିକ୍ଷାଦାନ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ସିଆରସିସିମାନେ ନିଯୁକ୍ତ ଥିଲେ ମଧ୍ୟ ସେମାନେ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ କରୁନଥିବା ଅଭିଯୋଗ ମଧ୍ୟ ଉଠିଛି। ଫଳସ୍ୱରୂପ ସ୍କୁଲଗୁଡ଼ିକର ବିଭିନ୍ନ ସମସ୍ୟା ସମୟାନୁସାରେ ଚିହ୍ନଟ ହେଉନଥିବା କୁହାଯାଉଛି।
ଗେଡ଼ମା କୁଷ୍ଠ ଅଧୀନସ୍ଥ ସାହାପୁର ପ୍ରଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସେଠୀ ନିୟମିତ ଭାବେ ସ୍କୁଲକୁ ଆସୁନଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ସେ ଦୁଇ ମାସ ପୂର୍ବରୁ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଏହି ସମୟସୀମାରେ ମାତ୍ର ୧୦ରୁ ୧୨ ଦିନ ସ୍କୁଲକୁ ଆସିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିଡିଓ ରଞ୍ଜନ କୁମାର ପରିଡ଼ା ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ, ତଦନ୍ତ ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରେରଣ କରିବେ ବୋଲି ଜଣାଇଛନ୍ତି।
ଏନେଇ ପ୍ରଧାନଶିକ୍ଷକ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ମାଆଙ୍କ ଅସୁସ୍ଥତା କାରଣରୁ ସେ କେବଳ ଦୁଇ ଦିନ ଛୁଟିରେ ଥିଲେ। ଏହି ସମ୍ପର୍କରେ ବିଇଓ ରାଜୀବ ଦଳେଇଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଗ୍ରାମବାସୀ କିମ୍ବା ଅଭିଭାବକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ।
