ହାଟଡିହି, ୧୮/୨ (ଇମିସ): ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ବିଭିନ୍ନ ସୁବିଧା ଘୋଷଣା ହୋଇଥିଲେ ମଧ୍ୟ, ବାସ୍ତବରେ ସେଗୁଡିକ କେବଳ କାଗଜକଲମରେ ସୀମିତ ରହିଯାଉଛି ବୋଲି ହାଟଡିହି ବ୍ଲକ୍ର ଶାଳଣିଆଁ ମଣ୍ଡି ଅଧୀନ ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀମାନଙ୍କ କହିବା ଅନୁସାରେ, ଅନେକ କଷ୍ଟ ସହି ଧାନକୁ ମଣ୍ଡିକୁ ଆଣିଲେ ମଧ୍ୟ ମିଲର୍ମାନେ ସମୟରେ ଧାନ ନ ଉଠାଇବାରୁ ସେମାନେ ରାତି ଉଜାଗର ରହି ବର୍ଷକର ଅମଳକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଖୋଲା ଆକାଶ ତଳେ ଧାନ କିଣା ହେଉଥିବାରୁ ବୁଲା ଗୋରୁଗାଈ ଓ ଷଣ୍ଢ ପଶି ଧାନ ଖାଇଦେଉଥିବା ଅଭିଯୋଗ ମଧ୍ୟ ଆସିଛି।
ସୁରେନ୍ଦ୍ର ବାରିକ, ବନବିହାରୀ ଜେନା, ସୁଦର୍ଶନ ପଣ୍ଡା, ଅରୁଣ ମଲ୍ଲିକ, ଅଭୟ ମଲ୍ଲିକ, ନନ୍ଦକିଶୋର ଜେନା ଓ ଅଭିମନ୍ୟୁ ଜେନା ପ୍ରମୁଖ ଚାଷୀମାନେ କହିଛନ୍ତି ଯେ, ଧାନ ମଣ୍ଡିରେ ପକାଇ ରଖିଥିଲେ ମଧ୍ୟ କେତେ ଦିନ ଧରି ତାହା ଉଠୁନାହିଁ। ଅରୁଣ ମଲ୍ଲିକଙ୍କ କହିବା ଅନୁଯାୟୀ, ସେ ଦଶ ଦିନ ପୂର୍ବରୁ ଧାନ ମଣ୍ଡିକୁ ଆଣିଥିବା ବେଳେ ଏପର୍ଯ୍ୟନ୍ତ ଧାନ ଉଠାଯାଇନାହିଁ। ଖୋଲାରେ ରଖାଯାଇଥିବାରୁ ଗୋରୁ ପଶି ୨୦ରୁ ୩୦ କିଲୋ ଧାନ ଖାଇଦେଇଥିବା ସେ ଦାବି କରିଛନ୍ତି। ମିଲର୍ଙ୍କ ଗାଡ଼ି କେବେ ଆସିବ ତାହାର ସ୍ପଷ୍ଟ ସୂଚନା ନଥିବାରୁ ଚାଷୀମାନେ ଅସୁବିଧାରେ ପଡ଼ୁଛନ୍ତି।
ଲ୍ୟାମ୍ପସ୍ ସମ୍ପାଦକ ଉମାକାନ୍ତ ନାୟକଙ୍କ ସୂଚନା ଅନୁସାରେ, ଡଅଁର ସମବାୟ ସମିତି ଅଧୀନରେ ଚାରୋଟି ମଣ୍ଡି କାର୍ଯ୍ୟରତ ଅଛି। ମୋଟ ୯୯,୧୯୬ କୁଇଣ୍ଟାଲ ଧାନ କ୍ରୟର ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ ଡଅଁର ଓ କଳିଙ୍ଗୀ ମଣ୍ଡିରୁ ୩୬,୩୫୦ କୁଇଣ୍ଟାଲ ଏବଂ ଶାଳଣିଆଁ ଓ ଗେଡ଼ମା ମଣ୍ଡିରୁ ୨୫,୯୩୭ କୁଇଣ୍ଟାଲ ଧାନ କିଣାଯାଇଛି। ସମୁଦାୟ ୬୨,୨୮୮ କୁଇଣ୍ଟାଲ ଧାନ କ୍ରୟ ହୋଇଥିବାବେଳେ ୫୬,୯୮୭ କୁଇଣ୍ଟାଲ ଧାନ ବିଭିନ୍ନ ଚାଉଳ ମିଲ୍କୁ ପଠାଯାଇଛି। ଏପର୍ଯ୍ୟନ୍ତ ୫,୩୦୧ କୁଇଣ୍ଟାଲ ଧାନ ମଣ୍ଡିରେ ଗଚ୍ଛିତ ରହିଛି। ମିଲର୍ମାନେ ଗାଡ଼ି ନ ପଠାଇବାରୁ ଧାନ ପଡ଼ିରହିଥିବା ସେ ଉଲ୍ଲେଖ କରିଛନ୍ତି। ଏହି ପରିସ୍ଥିତିରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
