ନୂଆଦିଲ୍ଲୀ, ୧୮ ମଇ: ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଏହାର ତଦନ୍ତକୁ ସିବିଆଇ ଆହୁରି ତୀବ୍ର କରିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ମୁଖ୍ୟଙ୍କୁ ସମନ କରିଛି। ପ୍ରଶ୍ନପତ୍ର ଲିକ୍ ଘଟଣା ସହ ଏନ୍ଟିଏରେ କାର୍ଯ୍ୟକାରୀ ହୋଇଥିବା ସଂସ୍କାର ଉପରେ ସମୀକ୍ଷା କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି
ସୂଚନା ଅନୁଯାୟୀ, ଏନ୍ଟିଏ ଅଧ୍ୟକ୍ଷ ପ୍ରଦୀପ କୁମାର ଯୋଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଆସନ୍ତା ମେ ୨୧ ତାରିଖରେ ପଚରାଉଚରା ପାଇଁ ଡାକରା ଦିଆଯାଇଛି। ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହି ମାମଲାରେ ଶିକ୍ଷା ମନ୍ତ୍ରାଳୟର ମତ ମଧ୍ୟ ନେବାକୁ ଯୋଜନା କରିଛି।
କମିଟିର କାର୍ଯ୍ୟସୂଚୀରେ ଏନ୍ଟିଏର ସଂସ୍କାର ସମ୍ପର୍କିତ କେ. ରାଧାକୃଷ୍ଣନ କମିଟିର ସୁପାରିଶ ଓ ତାହାର କାର୍ଯ୍ୟକାରିତାର ସମୀକ୍ଷାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହ ନିଟ୍-ୟୁଜି ପେପର ଲିକ୍ ମାମଲାର ତଦନ୍ତ କେତେଦୂର ଅଗ୍ରସର ହୋଇଛି ସେନେଇ ବିସ୍ତୃତ ତଥ୍ୟ ଜାଣିବାକୁ କମିଟି ଇଚ୍ଛା ପ୍ରକାଶ କରିଛି।
କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ ନେତୃତ୍ୱାଧୀନ ଏହି କମିଟି ଶିକ୍ଷା ମନ୍ତ୍ରାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀଙ୍କୁ ମଧ୍ୟ ସମନ କରିଛି। ନିଟ୍ ପରୀକ୍ଷାର ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ଭବିଷ୍ୟତରେ ଏପରି ଘଟଣା ରୋକିବାକୁ ନିଆଯାଇଥିବା ପଦକ୍ଷେପ ନେଇ କମିଟି ଆଲୋଚନା କରିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯାଇଛି। ମହାରାଷ୍ଟ୍ରର ଲାଟୁରରେ ଥିବା ଏକ କୋଚିଂ ସଂସ୍ଥା “ରେଣୁକା କେମିଥ୍ଟି କ୍ଲାସେସ୍ (ଆର୍ସିସି)”ର ନିର୍ଦ୍ଦେଶକ ଶିବରାଜ ରଘୁନାଥ ମୋଟେଗାଓଁକରଙ୍କୁ ସିବିଆଇ ଜାଲରେ ଆଣିଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ପରୀକ୍ଷାର ପ୍ରାୟ ୧୦ ଦିନ ପୂର୍ବରୁ ସେ ନିଟ୍ ପ୍ରଶ୍ନପତ୍ର ପାଇଥିଲେ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଅଭିଭାବକ ଆର୍ସିସି ପକ୍ଷରୁ ନିଆଯାଇଥିବା ମକ୍ ଟେଷ୍ଟ୍ ପ୍ରଶ୍ନପତ୍ର ଓ ନିଟ୍ର ଅସଲ ପ୍ରଶ୍ନପତ୍ର ମଧ୍ୟରେ ସମାନତା ଦେଖିଥିଲେ। ଏହା ପରେ ମାମଲା ଅଧିକ ଚର୍ଚ୍ଚାକୁ ଆସିଥିଲା ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଥିଲା।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଏହା ଦଶମ ଗିରଫଦାରୀ। ତଦନ୍ତକାରୀ ସଂସ୍ଥା ଏହି ଘଟଣା ସହ ଜଡିତ ଅନ୍ୟ ସନ୍ଦେହଭାଜନଙ୍କୁ ମଧ୍ୟ ଚିହ୍ନଟ କରିବାରେ ଲାଗିଛି।
ଏହାସହ ଅନ୍ୟ ଏକ ଘଟଣାରେ ସିବିଆଇ ମହାରାଷ୍ଟ୍ରର ନାନ୍ଦେଡରେ ଭାଉରାଓ କଦମ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରିଛି। ଅଭିଯୋଗ ଅନୁଯାୟୀ, ସେ ତାଙ୍କ ଝିଅ ପାଇଁ ପରୀକ୍ଷା ପୂର୍ବରୁ ୫ ଲକ୍ଷ ଟଙ୍କା ଦେଇ ପ୍ରଶ୍ନପତ୍ର ଯୋଗାଡ଼ କରିଥିଲେ। ଏହି ଘଟଣାରେ ସିବିଆଇ ପକ୍ଷରୁ ତାଙ୍କ ବାସଭବନରେ ପ୍ରାୟ ୮ ଘଣ୍ଟା ଧରି ସର୍ଚ୍ଚ ଅପରେସନ୍ କରାଯାଇଥିଲା।
ତଦନ୍ତକାରୀ ଦଳ କଦମ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପରବର୍ତ୍ତୀ ଜେରା ପାଇଁ ପୁଣେରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ସିବିଆଇ ଏହି ମାମଲାର ଆର୍ଥିକ କାରବାର ଓ ପ୍ରଶ୍ନପତ୍ର ଲିକ୍ ଚକ୍ରର ସମ୍ପୂର୍ଣ୍ଣ ନେଟୱର୍କ ଖୋଜିବାରେ ଲାଗିଥିବା ସୂଚନା ମିଳିଛି। ନିଟ୍ ପରୀକ୍ଷା ଦେଶର ସବୁଠୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ହୋଇଥିବାରୁ ଏହି ପେପର ଲିକ୍ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ତେଣୁ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଓ ସୁରକ୍ଷା ବଢ଼ାଇବା ଉପରେ ଜୋର ଦିଆଯାଉଛି।
