ନୂଆଦିଲ୍ଲୀ, ୧୮ ମେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵିଡେନ ଗସ୍ତ ଶେଷ କରି ସୋମବାର ନରୱେର ରାଜଧାନୀ ଓସ୍ଲୋରେ ପହଞ୍ଚିଛନ୍ତି। ସେଠାରେ ସେ ତୃତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗଦେବା ସହ ଦ୍ଵିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ଗସ୍ତକୁ ଭାରତ ଓ ନର୍ଡିକ ଦେଶମାନଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।
ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନରୱେ ଗସ୍ତ ହେବା ସହ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନରୱେ ଯାତ୍ରା ଭାବେ ମଧ୍ୟ ଗୁରୁତ୍ଵ ବହନ କରୁଛି। ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋରଙ୍କ ଙ୍କ ନିମନ୍ତ୍ରଣରେ ଏହି ଗସ୍ତକ୍ରମ ଆୟୋଜିତ ହୋଇଛି। ଓସ୍ଲୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଜଣାଯାଇଥିଲା।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଦୌରା ପୂର୍ବରୁ ହେବାକୁ ଥିଲା, କିନ୍ତୁ ପହଲଗାମର ଆତଙ୍କବାଦୀ ଆକ୍ରମଣ ପରେ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା। ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଜଣାଇଥିବାରୁ ସେ ନରୱେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନରୱେର ସର୍ବୋଚ୍ଚ ସମ୍ମାନ “ଗ୍ରାଣ୍ଡ କ୍ରସ୍ ଅଫ୍ ଦି ରୟାଲ୍ ନରୱେଜିଆନ୍ ଅର୍ଡର୍ ଅଫ୍ ମେରିଟ୍” ପ୍ରଦାନ କରାଯାଇଥିଲା। ଏହା ସହିତ ବିଶ୍ଵର ବିଭିନ୍ନ ଦେଶରୁ ପ୍ରଧାନମନ୍ତ୍ରୀ ମୋଦୀ ପାଇଥିବା ଅନ୍ତର୍ଜାତୀୟ ସମ୍ମାନର ସଂଖ୍ୟା ୩୦ରେ ପହଞ୍ଚିଛି।
ନରୱେର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦୀ ଭାରତ-ନରୱେ ସମ୍ପର୍କକୁ “ସବୁଜ ରଣନୈତିକ ଭାଗୀଦାରୀ” ଦିଗରେ ଆଗେଇ ନେବା ଉପରେ ଗୁରୁତ୍ଵ ଦେଇଥିଲେ। ସେ କହିଥିଲେ ଯେ ସ୍ଵଚ୍ଛ ଶକ୍ତି, ଜଳବାୟୁ ସହନଶୀଳତା, ନୀଳ ଅର୍ଥନୀତି ଓ ସବୁଜ ଜାହାଜ ଚଳାଚଳ ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ବଢ଼ିବ।
ସେ ଆହୁରି କହିଥିଲେ ଯେ ଭାରତର ବ୍ୟାପକ ବଜାର, ଯୁବ ପ୍ରତିଭା ଓ ଦ୍ରୁତ ଅଗ୍ରଗତି ସହ ନରୱେର ପ୍ରଯୁକ୍ତିଗତ ଜ୍ଞାନ ଓ ପୁଞ୍ଜିର ସମନ୍ୱୟ ଦୁଇ ଦେଶର ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବ।
ଭାରତର ଆର୍କଟିକ ଗବେଷଣା କେନ୍ଦ୍ର ହିମାଦ୍ରି ରିସର୍ଚ୍ଚ ଷ୍ଟେସନ୍ କୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ନରୱେକୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଓ ନରୱେ ମହାକାଶ ଏଜେନ୍ସି ମଧ୍ୟରେ ନୂତନ ବୁଝାମଣା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରି କହିଥିଲେ ଯେ, ଏହା ମହାକାଶ ଗବେଷଣା ଓ ପ୍ରଯୁକ୍ତି ସହଯୋଗରେ ନୂଆ ଅବସର ସୃଷ୍ଟି କରିବ।ଭାରତ-ନରୱେ ସମ୍ପର୍କକୁ ନୂତନ ଦିଗ ଦେବା ସହିତ ଏହି ଗସ୍ତ ଭାରତର ବୈଦେଶିକ ନୀତିରେ ନର୍ଡିକ ଦେଶମାନଙ୍କ ଗୁରୁତ୍ଵକୁ ଆହୁରି ସ୍ପଷ୍ଟ କରିଛି.
