ଭାରତୀୟ ନୌସେନାର ଶକ୍ତି ବୃଦ୍ଧି, ଚାନ୍ଦିପୁରରୁ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର, ୨ ମେ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଆଉ ଏକ ବଡ଼ ସଫଳତା ହାସଲ କରିଛି। ଓଡ଼ିଶାର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ଦୂରଗାମୀ ହାଇପରସୋନିକ୍ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ଫେଜ୍-୨ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି।

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ସ୍ୱଦେଶୀ ପ୍ରଯୁକ୍ତିରେ ଉନ୍ନତ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଯୁଦ୍ଧଜାହାଜକୁ ଧ୍ୱଂସ କରିବାରେ ସକ୍ଷମ ବୋଲି କୁହାଯାଇଛି। ଏହା ପ୍ରାୟ ୧୫୦୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଆକ୍ରମଣ କରିପାରିବ।

ଏହି ଆଧୁନିକ କ୍ଷେପଣାସ୍ତ୍ର ଶବ୍ଦର ବେଗଠାରୁ ପ୍ରାୟ ୫ରୁ ୧୦ ଗୁଣ ଅଧିକ ବେଗରେ ଗତି କରେ। ଏହାର ଅତ୍ୟଧିକ ବେଗ ଯୋଗୁଁ ଶତ୍ରୁପକ୍ଷର ରାଡାର ବା ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଏହାକୁ ରୋକିବା ଅତ୍ୟନ୍ତ କଷ୍ଟକର।

ସମୁଦ୍ର ମଧ୍ୟରେ ସ୍ଥିର କିମ୍ବା ଗତିଶୀଳ ଯୁଦ୍ଧଜାହାଜକୁ ଠିକ୍‌ ଭାବରେ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହାକୁ ବିଶେଷ ଭାବେ ଡିଜାଇନ୍‌ କରାଯାଇଛି। ପରୀକ୍ଷା ସମୟରେ କ୍ଷେପଣାସ୍ତ୍ରଟି ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରି ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା।

ଏହି ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓ ଓ ଭାରତୀୟ ନୌସେନାର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତାକୁ ନୂଆ ଦିଗ ଦେବ।

Leave a Reply

Your email address will not be published. Required fields are marked *