ଦୈତାରି, ୧୮/୨ (ଇମିସ): ହରିଚନ୍ଦନପୁର ବ୍ଲକ୍ର ବ୍ରାହ୍ମଣୀପାଳ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ଏବଂ ବନ୍ୟପ୍ରାଣୀ ଆଇନ୍ ସମ୍ପର୍କରେ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଦୈତାରିଠାରେ ଏକ ତାଲିମ ଶିବିର ଆୟୋଜିତ ହୋଇଥିଲା।
ବନାଞ୍ଚଳ ଅଧିକାରୀ ବହ୍ମାନନ୍ଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟଅତିଥି ଭାବେ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ପ୍ରବୀର କୁମାର ମୁର୍ମୁ, ଓଡ଼ିଶା ଖଣି ନିଗମ (ଓଏମ୍ସି) ଆଞ୍ଚଳିକ ପରିଚାଳକ କାଠି ପ୍ରଧାନ, ଶ୍ରମ ମଙ୍ଗଳ ଅଧିକାରୀ ରତିକାନ୍ତ ପଣ୍ଡା ଓ ହରିଚନ୍ଦନପୁର ଅଗ୍ନିଶମ ଅଧିକାରୀ ଏ. ବାଘରାଏ ମୁର୍ମୁ ଉପସ୍ଥିତ ଥିଲେ।
ଅତିଥିମାନେ ଜଙ୍ଗଲ ନିଆଁ ନିୟନ୍ତ୍ରଣ, ପ୍ରତିରୋଧମୂଳକ ପଦକ୍ଷେପ ଓ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ବିଷୟରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ବ୍ରାହ୍ମଣୀପାଳ ବନାଞ୍ଚଳ ଅଧୀନ ତିନୋଟି ସେକ୍ସନର ବନ କର୍ମଚାରୀ ଓ ସ୍କ୍ୱାଡ୍ ସଦସ୍ୟମାନେ ଶିବିରରେ ଯୋଗଦେଇଥିଲେ। ଏହି ତାଲିମ ଶିବିର ମାଧ୍ୟମରେ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ବନାଗ୍ନିକୁ ସମୟରେ ରୋକିବା ଓ ଜଙ୍ଗଲ ସୁରକ୍ଷାକୁ ଶକ୍ତିଶାଳୀ କରିବାରେ ସହାୟତା ମିଳିବ ବୋଲି ଅଧିକାରୀମାନେ କହିଛନ୍ତି।
