ଆଜି ରାଜ୍ୟ ବଜେଟ୍ ପ୍ରସ୍ତୁତି

ରାଜ୍ୟ ବଜେଟ୍‌

ଭୁବନେଶ୍ୱର, ୧୯/୨(ଇମିସ): ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ୍ ଉପସ୍ଥାପନ କରିବେ। ବଜେଟ୍‌ରେ କେଉଁ କେଉଁ ବିଷୟ ଅନ୍ତର୍ଭୁକ୍ତ ହେବ, ସେନେଇ ସମଗ୍ର ରାଜ୍ୟରେ ଉତ୍ସୁକତା ଦେଖାଯାଉଛି। ପୂର୍ବତନ ବଜେଟ୍‌ଗୁଡ଼ିକୁ ଧ୍ୟାନରେ ରଖିଲେ, ଏଥର ମଧ୍ୟ ଏକ ସନ୍ତୁଳିତ ଓ ବିକାଶମୁଖୀ ବଜେଟ୍ ଆସିବ ବୋଲି ଅନୁମାନ କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୨,୯୦,୦୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା। ଏଥର ଏହାର ପରିମାଣ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ଛୁଇଁପାରେ ବୋଲି ଆଶା କରାଯାଉଛି।

ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ, ଚଳିତ ବର୍ଷ କେନ୍ଦ୍ରରୁ ରାଜ୍ୟକୁ ମିଳୁଥିବା ପାଣ୍ଠି କମିପାରେ। ଏହି ପରିସ୍ଥିତିରେ ସରକାର କିପରି ସେହି ଅଭାବକୁ ପୂରଣ କରିବେ, ତାହା ନେଇ ଚର୍ଚ୍ଚା ଚାଲିଛି। ସେହିପରି ପୁଞ୍ଜି ବ୍ୟୟ ଓ ଋଣ ପରିଚାଳନା ମଧ୍ୟ ଏଥର ବଜେଟ୍‌ର ମୁଖ୍ୟ ଆକର୍ଷଣ ହେବ। ପୁଞ୍ଜି ବ୍ୟୟରେ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ଗତ ଆର୍ଥିକ ବର୍ଷରେ ୬୫,୦୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଘୋଷିତ ହୋଇଥିଲା, ଯାହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୬.୧୧ ପ୍ରତିଶତ ସହିତ ସମାନ ଥିଲା। ଏଥର ଏଥିରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

ଋଣ ପରିମାଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା। ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଖର୍ଚ୍ଚ ଭରଣା ପାଇଁ ପ୍ରତିବର୍ଷ ଋଣ ଗ୍ରହଣ କରାଯାଉଛି। ୨୦୨୩-୨୪ରେ ୯୬,୩୧୦ କୋଟି ଟଙ୍କା ଋଣ ନେବାକୁ ଘୋଷଣା ହୋଇଥିଲା। ପରବର୍ତ୍ତୀ ବର୍ଷରେ ଏହି ପରିମାଣ ୧,୩୪,୯୧୪ କୋଟି ଟଙ୍କାକୁ ବଢ଼ିଥିଲା। ୨୦୨୬-୨୭ରେ ମଧ୍ୟ ଋଣ ଅଧିକ ରହିପାରେ ବୋଲି ଅନୁମାନ ହେଉଛି। ତଥାପି ସରକାର ବିତ୍ତୀୟ ଶୃଙ୍ଖଳା ଓ ଏଫ୍‌ଆର୍‌ବିଏମ୍ ନିୟମ ପାଳନରେ ଗୁରୁତ୍ୱ ଦେଉଥିବାରୁ ଋଣ ପରିମାଣକୁ ଜିଏସ୍‌ଡିପିର ୨୫ ପ୍ରତିଶତ ଭିତରେ ରଖିବାକୁ ପ୍ରୟାସ ଜାରି ରହିବ ବୋଲି ଅର୍ଥନୀତିବିତ୍‌ମାନେ ମତ ପ୍ରକାଶ କରୁଛନ୍ତି।

୨୦୨୫-୨୬ରେ ରାଜସ୍ୱ ବଳକା ଜିଏସ୍‌ଡିପିର ୩ ପ୍ରତିଶତ ଏବଂ ବିତ୍ତୀୟ ଘାଟତି ୩.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ ଥିଲା। ଏଥର ସରକାର ସେହି ସ୍ତରକୁ ବଜାୟ ରଖିବେ କିମ୍ବା ଆହୁରି ସୁଧାର ଆଣିବେ, ସେଥିପ୍ରତି ନଜର ରହିଛି।

ପ୍ରତିବର୍ଷ ଭଳି ଏଥର ମଧ୍ୟ କିଛି ନୂତନ ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି। ସେହି ସହିତ ପ୍ରମୁଖ ଯୋଜନାମାନଙ୍କ ପାଇଁ ବ୍ୟୟବରାଦ କେତେ ହେବ, ସେଥି ମଧ୍ୟ ଗୁରୁତ୍ୱର ସହ ଦେଖାଯିବ। ସୁଭଦ୍ରା ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସ୍ଵଚ୍ଛ ଓଡ଼ିଶା, ଓଡ଼ିଶା ଏଆଇ ମିସନ୍‌, ସମୃଦ୍ଧ କୃଷକ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଆବାସ ଯୋଜନା ପାଇଁ ଆର୍ଥିକ ବିନ୍ୟାସ କିପରି ରହିବ, ସେଥିପ୍ରତି ସମସ୍ତଙ୍କ ଆଗ୍ରହ ରହିଛି।

Leave a Reply

Your email address will not be published. Required fields are marked *