ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ଖବର ପରେ ପାକିସ୍ତାନରେ ହିଂସାତ୍ମକ ପ୍ରତିବାଦ

Police officers chase Shia Muslims blocking a road during a protest over the killing of Iranian Supreme Leader Ayatollah Ali Khamenei, in Karachi, Pakistan

ଇସଲାମାବାଦ, ୨/୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପାକିସ୍ତାନର ବିଭିନ୍ନ ସହରରେ ହିଂସା ଓ ଅଶାନ୍ତି ସୃଷ୍ଟି ହୋଇଛି। ଶିଆ ସମ୍ପ୍ରଦାୟର ଲୋକମାନେ ଦଳେ ଦଳେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ସୁରକ୍ଷା ବାହିନୀ ସହ ସେମାନଙ୍କର ହିଂସାତ୍ମକ ସଂଘର୍ଷ ପରିସ୍ଥିତିକୁ ଆହୁରି ଗୁରୁତର କରିଛି।

କରାଚୀରୁ ଆରମ୍ଭ କରି ପାକ୍-ଅଧିକୃତ କାଶ୍ମୀର ପର୍ଯ୍ୟନ୍ତ ଅନେକ ସହରରେ ବିଶାଳ ପ୍ରତିବାଦ ଚାଲିଛି। ଏହି ହିଂସାକାଣ୍ଡରେ ୩୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ସଂସଦରେ ମଧ୍ୟ ଖାମେନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, କରାଚୀରେ ସର୍ବାଧିକ ହିଂସା ଘଟିଛି ଏବଂ ସେଠାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ତଦୁପରି ଗିଳଗିଟରେ ୭ ଜଣ, ସ୍କାର୍ଦୁରେ ୬ ଜଣ ଓ ରାଜଧାନୀ ଇସଲାମାବାଦରେ ୬ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି।

ସୂତ୍ରମାନଙ୍କ ଅନୁସାରେ, ସୁରକ୍ଷା ବାହିନୀ ଓ ସେଠାରେ ନିୟୋଜିତ ଆମେରିକୀୟ ନୌସେନା ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ସମୟରେ ଏହି ମୃତ୍ୟୁ ଘଟିଛି। ପରିସ୍ଥିତି ଗମ୍ଭୀର ହେବା ପରେ ପଞ୍ଜାବ ପ୍ରଦେଶ ସରକାର ସମସ୍ତ ସରକାରୀ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି, ଯାହାଦ୍ୱାରା ଆହତମାନେ ତୁରନ୍ତ ଚିକିତ୍ସା ପାଇପାରିବେ।

କିଛି ଗୋପନୀୟ ସୂତ୍ର ଦାବି କରୁଛନ୍ତି ଯେ ପ୍ରଶାସନ ପ୍ରକୃତ ମୃତ୍ୟୁସଂଖ୍ୟା ଗଣମାଧ୍ୟମକୁ ପ୍ରକାଶ ନ କରିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦେଇଛି। ହିଂସାକୁ ଏଡାଇବା ପାଇଁ ଶିଆ ଅଧିକ୍ୟ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବହୁ ସଂଖ୍ୟକ ପୋଲିସ ବଳ ମୁତୟନ କରାଯାଇଛି।

ପାକିସ୍ତାନସ୍ଥ ଆମେରିକୀୟ ଦୂତାବାସ ନିଜର ନାଗରିକମାନଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରିଛି। ସେମାନଙ୍କୁ ଭିଡ଼ ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଏଡାଇବା ସହ ସ୍ଥାନୀୟ ଖବର ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *