ମସ୍କାଟ୍, ୨/୩: ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ସୋମବାର ଓମାନ ଉପସାଗରରେ ମାର୍ଶାଲ ଦ୍ବୀପର ପତାକା ବହନ କରୁଥିବା ଏକ ତୈଳ ଟ୍ୟାଙ୍କର୍ ଉପରେ ମାନବବିହୀନ ଡ୍ରୋନ୍ ବୋଟ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଟ୍ୟାଙ୍କର୍ରେ କାର୍ଯ୍ୟରତ ଜଣେ ଭାରତୀୟ କର୍ମଚାରୀଙ୍କ ଜୀବନ ନଷ୍ଟ ହୋଇଛି।
ଏହି ଆକ୍ରମଣ କେଉଁ ପକ୍ଷରୁ କରାଯାଇଛି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଓମାନ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ଭାରତୀୟଙ୍କ ମୃତ୍ୟୁ ସମ୍ପର୍କରେ ପ୍ରମାଣିତ ସୂଚନା ଦିଆଯାଇଛି।
ଟ୍ୟାଙ୍କର୍ଟିରେ ସମୁଦାୟ ୨୧ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ ଭାରତୀୟ, ୪ ଜଣ ବାଙ୍ଗ୍ଲାଦେଶୀ ଓ ୧ ଜଣ ୟୁକ୍ରେନ୍ ନାଗରିକ ଥିଲେ। ଡ୍ରୋନ୍ ବୋଟ୍ ଆକ୍ରମଣ ପରେ ଟ୍ୟାଙ୍କର୍ରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ଅନ୍ୟ କର୍ମଚାରୀମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
