ନୂଆଦିଲ୍ଲୀ, ୩୧/୩: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାରବାର ଦିନ ମୁଦ୍ରା ଓ ଶେୟାର ବଜାର ଉଭୟଙ୍କ ପାଇଁ ଅନନ୍ତୁଳ୍ୟ ରହିଛି। ବୈଦେଶିକ ମୁଦ୍ରା ବଜାରରେ ଭାରତୀୟ ଟଙ୍କା ପ୍ରଥମଥର ପାଇଁ ଡଲାର ବିପରୀତ ୯୫ ସୀମାକୁ ଅତିକ୍ରମ କରିଛି। ଏହାର ଅର୍ଥ, ଏବେ ଗୋଟିଏ ଡଲାର କିଣିବା ପାଇଁ ୯୫ ଟଙ୍କାରୁ ଅଧିକ ଦେବାକୁ ପଡ଼ୁଛି।
ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଂଘର୍ଷ ପଞ୍ଚମ ସପ୍ତାହକୁ ପହଞ୍ଚିଥିବାରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଛି। ଏହା ସହିତ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ହଟାଇ ନେଉଥିବାରୁ ଦେଶର ଆର୍ଥିକ ପରିସ୍ଥିତିରେ ଚାପ ବଢ଼ିଛି। ଏହା ଫଳରେ ମୁଦ୍ରାସ୍ଫୀତି ବଢ଼ିବା ସହ ଟଙ୍କା ଦୁର୍ବଳ ହେଉଛି ଏବଂ ଶେୟାର ବଜାର ମନ୍ଦା ପଥରେ ଯାଉଛି।
ଗତ ଶୁକ୍ରବାର ଟଙ୍କା ଡଲାର ବିପରୀତ ୯୪.୮୧ରେ ବନ୍ଦ ହୋଇଥିଲା, ଯାହା ଏକ ନୂତନ ରେକର୍ଡ ଥିଲା। ଆଜି ସେହି ରେକର୍ଡକୁ ମଧ୍ୟ ଅତିକ୍ରମ କରି ଟଙ୍କା ଆହୁରି ତଳକୁ ଗଲା। ଟଙ୍କାର ମୂଲ୍ୟରେ ଅସ୍ଥିରତା ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଲର ବ୍ୟାଙ୍କମାନଙ୍କ ପାଇଁ ନିୟମ କଡ଼ା କରିଛି। ଏହା ଅନୁସାରେ ବୈଦେଶିକ ମୁଦ୍ରାର ଦୈନିକ ନେଟ୍ ଧାରଣ କ୍ଷମତାକୁ ୧୦୦ ମିଲିୟନ ଡଲାରରେ ସୀମିତ କରାଯାଇଛି ଏବଂ ଏହାକୁ ଏପ୍ରିଲ ୧୦ ମଧ୍ୟରେ ପାଳନ କରିବାକୁ କୁହାଯାଇଛି।
ଆଜି କାରବାର ଆରମ୍ଭରେ ଏହି ପଦକ୍ଷେପର କିଛି ସକାରାତ୍ମକ ପ୍ରଭାବ ଦେଖାଯାଇଥିଲା। ଟଙ୍କା ୯୩.୫୯ରେ ଖୋଲିଥିଲେ ମଧ୍ୟ ପରେ ତୀବ୍ର ଭାବରେ ଖସି ୯୫.୨୦କୁ ପହଞ୍ଚିଥିଲା। ପରେ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପରେ କିଛି ସୁଧାର ହୋଇ ଟଙ୍କା ୯୪.୮୩ରେ ବନ୍ଦ ହେଲା।
ଚଳିତ ଆର୍ଥିକ ବର୍ଷରେ ଡଲାର ବିପରୀତ ଟଙ୍କାର ମୂଲ୍ୟ ୧୧.୪ ପ୍ରତିଶତ ହ୍ରାସ ପାଇଛି, ଯାହା ଗତ ଦଶକରେ ସବୁଠାରୁ ଖରାପ ପ୍ରଦର୍ଶନ। ତଥାପି କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଟଙ୍କାର ସାମୁହିକ ପ୍ରଦର୍ଶନ ଏପର୍ଯ୍ୟନ୍ତ ସନ୍ତୋଷଜନକ ରହିଛି।
ଏହା ସହ ଶେୟାର ବଜାରରେ ମଧ୍ୟ ଭାରି ପତନ ଦେଖାଯାଇଛି। ସେନସେକ୍ସ ୧୬୩୫ ପଏଣ୍ଟ (୨.୨୨%) କମି ୭୧,୯୪୭.୫୫ରେ ବନ୍ଦ ହୋଇଥିଲା ଓ ନିଫ୍ଟି ୪୮୮ ପଏଣ୍ଟ କମି ୨୨,୩୩୧.୪୦ରେ ପହଞ୍ଚିଥିଲା।
ବଜାରରେ ଏହି ପତନ ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀମାନଙ୍କର ବଜାର ପୁଞ୍ଜି ପ୍ରାୟ ୯ ଲକ୍ଷ କୋଟି ଟଙ୍କା କମିଯାଇଛି।
