ରାୟଗଡ଼ା, ୨ ମେ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମଜିଏସୱାଇ)ର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ରାୟଗଡ଼ାରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଏହି ଯୋଜନା ଅଧୀନରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ୧୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ହେବ। କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାର ୮୯୮ଟି ଗାଁକୁ ସବୁଦିନିଆ ପକ୍କା ରାସ୍ତା ସୁବିଧା ମିଳିବ।
ଏହି ପର୍ଯ୍ୟାୟରେ ୧୭୦୨ କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂଆ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ।
ଏହା ସହ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୬୩୦ କୋଟି ଟଙ୍କା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଜଳ ବିଭାଜିକା ବିକାଶ ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି।
ପିଏମଜିଏସୱାଇ-୪ ଅଧୀନରେ କେବଳ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ୪୪୨ଟି ନୂଆ ରାସ୍ତା ନିର୍ମାଣ ହେବ। ସେଥିସହ କୋଲନରା, ମୁନିଗୁଡ଼ା ଓ ରାୟଗଡ଼ା ବ୍ଲକରେ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରାଯାଇଛି। ଏଥିରୁ ୯୮ଟି ଗାଁର ଲୋକମାନେ ଉପକୃତ ହେବେ।
ରାୟଗଡ଼ା, କାଶୀପୁର, କଲ୍ୟାଣସିଂହପୁର, କୋଲନରା ଓ ମୁନିଗୁଡ଼ା ବ୍ଲକରେ ୧୦୪ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ନୂଆ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସଡ଼କ ଓ ସେତୁ ନିର୍ମାଣ ମାଧ୍ୟମରେ ସୁଦୂର ଗ୍ରାମାଞ୍ଚଳ ମୁଖ୍ୟସ୍ରୋତ ସହ ଯୋଡ଼ିତ ହେବ। ଆଗାମୀ ଦିନରେ ଗର୍ଭବତୀ ଓ ପ୍ରସୂତିଙ୍କୁ ଖଟରେ ବୋହି ନେବା ଭଳି ଦୃଶ୍ୟ ଦେଖିବାକୁ ପଡ଼ିବ ନାହିଁ।
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, “ଆମେ ଫମ୍ପା ପ୍ରତିଶ୍ରୁତିରେ ନୁହେଁ, କାମ କରି ଦେଖାଇବାରେ ବିଶ୍ୱାସ କରୁ। କୌଣସି ଗାଁ ଆଉ ମୌଳିକ ସୁବିଧାରୁ ବଞ୍ଚିତ ରହିବ ନାହିଁ।” କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଆପାଲାସ୍ୱାମୀ କାଡ୍ରାକା, ସତ୍ୟଜିତ ଗମାଙ୍ଗୋ, ନୀଳମାଧବ ହିକକା ସହ ଅନେକ ଅତିଥି ଉପସ୍ଥିତ ଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସପି ସ୍ୱାଥୀ ଏସ୍ କୁମାର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
