ଭୁବନେଶ୍ବର, ୩/୪ (ଇମିସ): ଓଡ଼ିଶାରେ ଅବସ୍ଥିତ ପୂର୍ବତଟ ରେଳପଥକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ଉଠିଛି। ପ୍ରଥମେ ଓ୍ବାଲଟିୟର ଡିଭିଜନର ଏକ ବଡ଼ ଅଂଶକୁ ବାହାର କରାଯାଇଥିଲା। ପରେ ଏକ ପରେ ଏକ ସେକ୍ସନ୍କୁ ପୂର୍ବତଟ ରେଳପଥରୁ ବାଦ୍ କରି ଦକ୍ଷିଣତଟ ରେଳପଥରେ ସାମିଲ କରାଯାଉଛି। ଏହାର ପ୍ରଭାବରେ ଦେଶର ଅନ୍ୟ ରେଳ ଜୋନ୍ଗୁଡ଼ିକ ତୁଳନାରେ ଆର୍ଥିକ ଭାବେ ଆଗରେ ଥିବା ପୂର୍ବତଟ ରେଳପଥ ଗୁରୁତର କ୍ଷତି ସହିବାକୁ ପଡ଼ିପାରେ। ପୂର୍ବରୁ ଅଂଶ ବିଭାଜନ ହେବାରୁ ହଜାର କୋଟି ଟଙ୍କାର କ୍ଷତି ଆକଳନ କରାଯାଇଥିଲା। ବର୍ତ୍ତମାନ ପଲାସା–ଇଚ୍ଛାପୁରମ୍ ସେକ୍ସନ୍ ବାଦ୍ ହେବା ଫଳରେ ପ୍ରାୟ ୨% ରାଜସ୍ଵ ହାନି ହେବାର ସମ୍ଭାବନା ରହିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶକୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଦକ୍ଷିଣତଟ ରେଳପଥ ଜୋନ୍ ଘୋଷଣା କରିଥିଲେ। ଏହି ଜୋନ୍ରେ ଆନ୍ଧ୍ରପ୍ରଦେଶ ସହିତ ତାମିଲନାଡୁ, ତେଲେଙ୍ଗାନା ଓ କର୍ଣ୍ଣାଟକର କିଛି ଅଂଶ ସାମିଲ ହୋଇଛି। ଓ୍ବାଲଟିୟର ଡିଭିଜନ୍କୁ ଭାଗ କରି ଏହାର ୧୧୦୬ କିମି ରେଳପଥରୁ ୪୫୧ କିମି ବିଜୟଓ୍ବାଡା ଡିଭିଜନ୍ରେ ଏବଂ ଅନ୍ୟାନ୍ୟ ଅଂଶ ରାୟଗଡ଼ା ଓ ଖୋର୍ଦ୍ଧାରୋଡ଼ ଡିଭିଜନ୍ରେ ବଣ୍ଟନ କରାଯାଇଥିଲା। ଏବେ ଖୋର୍ଦ୍ଧାରୋଡ଼ ଡିଭିଜନ୍ ଅଧୀନରେ ଥିବା ପଲାସା–ଇଚ୍ଛାପୁରମ୍ ସେକ୍ସନ୍କୁ ଦକ୍ଷିଣତଟ ରେଳପଥରେ ମିଶାଯାଉଥିବାରୁ ପୂର୍ବତଟ ରେଳପଥର ଆର୍ଥିକ ଭିତ୍ତି ଆହୁରି ଦୁର୍ବଳ ହେବାର ଆଶଙ୍କା ରହିଛି। ଏଥିରେ ଅଟକି ନ ରହି, ରାୟଗଡ଼ା ଡିଭିଜନ୍ ଅଧୀନରେ ଥିବା କୋଟ୍ଟାଭାଲ୍ସା–କିରାଣ୍ଡୁଲ୍ (କେକେ) ଲାଇନ୍କୁ ମଧ୍ୟ ଦକ୍ଷିଣତଟ ରେଳପଥରେ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଓଡ଼ିଶା ମଧ୍ୟ ଦେଇ ଯାଇଥିବା ୪୪୫ କିମି ଏହି ରେଳ ଲାଇନ୍ ଆର୍ଥିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଛତିଶଗଡ଼ରୁ ବିଶାଖାପାଟଣା ବନ୍ଦର ପର୍ଯ୍ୟନ୍ତ ଯୋଗାଯୋଗ କରୁଥିବା ଏହି ଲାଇନ୍ ଲୁହାପଥର ପରିବହନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସରକାର ଆଗାମୀଦିନରେ ଆହୁରି ରେଳପଥ ନିଜ ଜୋନ୍ରେ ସାମିଲ କରିବା ପାଇଁ ଦାବି କରିପାରେ। ଏହିପରି ସ୍ଥିତିରେ ଓଡ଼ିଶାକୁ ମଧ୍ୟ ନିଜ ସ୍ୱାର୍ଥ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜୋରଦାର କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଚକ୍ରଧରପୁର ଡିଭିଜନ୍ ଅଧୀନରେ ଥିବା ଝାରସୁଗୁଡ଼ା–ରାଉରକେଲା–ବନ୍ଧମୁଣ୍ଡା ଏବଂ ଖଡ଼ଗପୁର ଅଧୀନ ବାଲେଶ୍ଵର–ରୂପ୍ସା–ଜଳେଶ୍ଵର ରେଳପଥକୁ ପୂର୍ବତଟ ରେଳପଥରେ ସାମିଲ କରିବାକୁ ମଧ୍ୟ ଦାବି ଉଠିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କ୍ୱାଲ୍ କହିଛନ୍ତି ଯେ, ଏହି ସମ୍ପର୍କରେ ଚିଠି ମିଳିଛି, କିନ୍ତୁ ଏପର୍ଯ୍ୟନ୍ତ ବିଶେଷ ଆଲୋଚନା ହୋଇନାହିଁ।
ପଲାସା–ଇଚ୍ଛାପୁରମ୍ ସେକ୍ସନ୍ ବାଦ୍ ପ୍ରସଙ୍ଗ: ଆନ୍ଧ୍ର ଖୁସ୍, ଓଡ଼ିଶା ନିରାଶ
