ଭୁବନେଶ୍ୱର, ୪/୪ (ଇମିସ): ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଶାଜନକ ଯାତ୍ରୀ ସଂଖ୍ୟା ନ ଥିବା ସହିତ ଅର୍ଥନୈତିକ ଲାଭ ମିଳିବାର ସମ୍ଭାବନା କମ୍ ଥିବା ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଏହା ସହିତ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (ଡିଏମ୍ଆର୍ସି) ସହ ହୋଇଥିବା ଚୁକ୍ତିକୁ ମଧ୍ୟ ବାତିଲ୍ କରାଯାଇଛି। ପ୍ରକଳ୍ପ ପାଇଁ ଗଠିତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (ବିଏମ୍ଆର୍ସିଏଲ୍)କୁ ଏବେ ନୋଡାଲ୍ ଏଜେନ୍ସି ଭାବେ ରଖାଯାଇଛି। ଇଣ୍ଟର ମିନିଷ୍ଟ୍ରିଆଲ୍ କମିଟି (ଆଇଏମ୍ସି)ର ସୁପାରିସ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାର କହିଛନ୍ତି।
ପ୍ରତିବଦଳରେ ରାଜ୍ୟ ସରକାର ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଆର୍ଥିକ କରିଡର୍ର ଉନ୍ନୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ (ଏଡିବି)କୁ ବୈଷୟିକ ସହାୟତା ପାଇଁ ନିଯୁକ୍ତ କରାଯାଇଛି। ଏପରିସ୍ଥିତିରେ, ୨୦୨୫ ଡିସେମ୍ବର ପୂର୍ବରୁ ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା ୨୭୩.୫୧ କୋଟି ଟଙ୍କା ଖର୍ଚ୍ଚକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।
ପୂର୍ବତନ ବିଜେଡି ସରକାର ଅମଳରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କି.ମି. ଲମ୍ବା ଏଲିଭେଟେଡ୍ କରିଡର୍ ନିର୍ମାଣ ଯୋଜନା ଥିଲା। ଏହି ପ୍ରକଳ୍ପର ମୋଟ ଅନୁମାନିତ ଖର୍ଚ୍ଚ ପ୍ରାୟ ୬୨୨୫ କୋଟି ଟଙ୍କା ଥିଲା ଏବଂ ବିଭିନ୍ନ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ଆବଣ୍ଟନ କରାଯାଇଥିଲା। କିନ୍ତୁ ଗତବର୍ଷ ଜୁଲାଇରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏକାଧିକ ଟେଣ୍ଡର ବାତିଲ୍ କରାଯାଇଥିଲା। ପରେ ଏହି ପ୍ରକଳ୍ପର ସମୀକ୍ଷା ପାଇଁ ଇଣ୍ଟର ମିନିଷ୍ଟ୍ରିଆଲ୍ କମିଟି ଗଠନ କରାଯାଇଥିଲା। କମିଟି ତାଙ୍କ ରିପୋର୍ଟରେ କହିଛି ଯେ, ପ୍ରକଳ୍ପଟି ଜାତୀୟ ମେଟ୍ରୋ ନୀତି-୨୦୧୭ ଅନୁସାରେ ନୁହେଁ ଏବଂ ଆଶାନୁରୂପ ଯାତ୍ରୀ ସଂଖ୍ୟା ମଧ୍ୟ ହେବ ନାହିଁ। ସେହିପରି, ବର୍ତ୍ତମାନ ସ୍ଥିତିରେ ମେଟ୍ରୋ ଚାଲୁ ହେଲେ ପ୍ରତିବର୍ଷ ପରିଚାଳନାଗତ ହାନି ବଢ଼ିବ ବୋଲି କମିଟି ଉଲ୍ଲେଖ କରିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରକଳ୍ପକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏବେ ଭୁବନେଶ୍ୱର ମେଟ୍ରୋ ରେଳ ନିଗମକୁ ସହରୀୟ ପରିବହନର ଦୀର୍ଘମିଆଦୀ ଯୋଜନା ପାଇଁ ଅନ୍ତର୍ବିଭାଗୀୟ ସମନ୍ୱୟ ଏଜେନ୍ସି ଭାବେ କାର୍ଯ୍ୟ କରାଯିବ।
