ବେଙ୍ଗାଲୁରୁରେ ଆର୍‌ସିବିର ବିସ୍ଫୋରଣ

ଚେନ୍ନାଇ ସୁପର୍‌ କିଙ୍ଗ୍ସ ପରାସ୍ତ

ବେଙ୍ଗାଲୁରୁ, ୫/୪: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ରେ ରବିବାର ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନ୍‌ର ବଡ଼ ବ୍ୟବଧାନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଆର୍‌ସିବି ୧୪ ଚୌକା ଓ ୧୯ ଛକା ସହ ୨୫୦ ରନ୍‌ର ବଡ଼ ସ୍କୋର୍‌ ଗଢ଼ିଥିବାବେଳେ, ଚେନ୍ନାଇ ୨୦୭ ରନ୍‌ରେ ଅଟକିଯାଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ବିସ୍ଫୋରକ ଆରମ୍ଭ କରିଥିଲା। ବିରାଟ କୋହଲି ୧୮ ବଲ୍‌ରୁ ୨୮ ରନ୍‌ କରିଥିବାବେଳେ, ଫିଲ୍‌ ସଲ୍ଟ ୩୦ ବଲ୍‌ରୁ ୪୬ ରନ୍‌ ଯୋଗାଇଥିଲେ। ଦେବଦତ୍ତ ପଡ଼ିକଲ ୨୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ଅଧିନାୟକ ରଜତ ପଟିଦାର (୧୯ ବଲ୍‌ରୁ ୪୮) ଓ ଟିମ୍‌ ଡେଭିଡ଼ (୨୫ ବଲ୍‌ରୁ ୭୦* ରନ୍‌) ଅତୁଟ ଚତୁର୍ଥ ୱିକେଟ୍‌ ପାଇଁ ୩୫ ବଲ୍‌ରୁ ୯୯ ରନ୍‌ର ସହଭାଗୀତା କରି ଦଳକୁ ୨୫୦ ରନ୍‌ରେ ପହଞ୍ଚାଇଥିଲେ। ଚେନ୍ନାଇ ପକ୍ଷରୁ ସର୍ଫରାଜ ଖାନ୍‌ (୫୦) ଓ ପ୍ରଶାନ୍ତ ବୀର (୪୩) ଲଢ଼େଇ କରିଥିଲେ, କିନ୍ତୁ ଦଳକୁ ଜିତାଇ ଦେଇପାରିନଥିଲେ।

ବିରାଟ ଓ ଭୁବିଙ୍କ ରେକର୍ଡ

ବିରାଟ କୋହଲି ଏହି ମ୍ୟାଚ୍‌ରେ ୨୮ ରନ୍‌ କରି ରୋହିତ ଶର୍ମାଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ସେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ସର୍ବାଧିକ ୧୧୭୪ ରନ୍‌ କରିଛନ୍ତି, ଯେଉଁଠାରେ ରୋହିତ କେକେଆର୍‌ ବିପକ୍ଷରେ ୧୧୬୧ ରନ୍‌ କରିଥିଲେ। ସେହିପରି ଭୁବନେଶ୍ୱର କୁମାର ଆଇପିଏଲ୍‌ ଇତିହାସରେ ପ୍ରଥମ ପେସ୍‌ ବୋଲର୍‌ ଭାବେ ୨୦୦ ୱିକେଟ୍‌ ପୂର୍ଣ୍ଣ କରିଛନ୍ତି। ପୂର୍ବରୁ କେବଳ ୟୁଜବେନ୍ଦ୍ର ଚହଲ ଏହି ସଫଳତା ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *