ଶାନ୍ତି ପ୍ରସ୍ତାବ ଖାରଜ କଲେ ଟ୍ରମ୍ପ, ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା

ତେହେରାନ, ୨ ମେ: ଆମେରିକା ଓ ଇରାନ ମଧ୍ୟରେ ଗତ କିଛି ସପ୍ତାହ ଧରି ଚାଲିଥିବା ଦୁର୍ବଳ ଅସ୍ତ୍ରବିରତି ବର୍ତ୍ତମାନ ଭଙ୍ଗୁର ପରିସ୍ଥିତିରେ ପହଞ୍ଚିଛି। କୂଟନୈତିକ ଅଚଳାବସ୍ଥା ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧ ଆତଙ୍କ ସୃଷ୍ଟି ହୋଇଛି।
       ଇରାନ ପକ୍ଷରୁ ଦିଆଯାଇଥିବା ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଖାରଜ କରିଦେଇଛନ୍ତି। ସେଥିସହ ନୌସେନା ଅବରୋଧକୁ ଆହୁରି କଡ଼ା କରାଯାଇଥିବାରୁ ଉଭୟ ଦେଶ ଆଉଥରେ ସଂଘର୍ଷ ଦ୍ୱାରପ୍ରାନ୍ତରେ ପହଞ୍ଚିଛନ୍ତି। 
   ହର୍ମୁଜ ପ୍ରଣାଳୀ ମାର୍ଗରୁ ଇରାନ ପାଉଥିବା ଟୋଲ୍‌ ଆଦାୟ ବନ୍ଦ କରିବା ସହ ଆଞ୍ଚଳିକ ସହଯୋଗୀ ଦେଶମାନଙ୍କୁ କୋଟି କୋଟି ଡଲାରର ଅସ୍ତ୍ର ବିକ୍ରୟ ପାଇଁ ଆମେରିକା ମଞ୍ଜୁରି ଦେଇଛି। ଏହାକୁ ଆମେରିକାର କଡ଼ା ସନ୍ଦେଶ ବୋଲି ଦେଖାଯାଉଛି।
          ଟ୍ରମ୍ପ ପ୍ରଶାସନ ଇରାନ ସହ ବୁଝାମଣା ପରିବର୍ତ୍ତେ ତାହାର ଆଞ୍ଚଳିକ ପ୍ରଭାବକୁ ଶେଷ କରିବାରେ ଅଧିକ ଗୁରୁତ୍ୱ ଦେଉଥିବା କୁହାଯାଉଛି। ଏହାର ଜବାବରେ ଇରାନ ମଧ୍ୟ ଯେକୌଣସି ପରିସ୍ଥିତିକୁ ମୁକାବିଲା ପାଇଁ ସେନାବାହିନୀକୁ ହାଇ ଆଲର୍ଟରେ ରଖିଛି।
        ଟ୍ରମ୍ପ ପାକିସ୍ତାନୀ ମଧ୍ୟସ୍ଥତାରେ ଆସିଥିବା ଇରାନର ୧୪-ଦଫା ଶାନ୍ତି ପ୍ରସ୍ତାବକୁ ମଧ୍ୟ ଖାରଜ କରିଦେଇଛନ୍ତି। ସେ ଇରାନର ନେତୃତ୍ୱକୁ କଠୋର ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ। ଇରାନର ସାମରିକ କମାଣ୍ଡର ମହମ୍ମଦ ଜାଫର ଅସାଦି କହିଛନ୍ତି ଯେ, ଆମେରିକା ଓ ଇସ୍ରାଏଲ ବିରୋଧରେ ଯେକୌଣସି ସମୟରେ ସଂଘର୍ଷ ଆରମ୍ଭ ହୋଇପାରେ। ଏପରିସ୍ଥିତିରେ ସାଉଦି ଆରବ ମଧ୍ୟ ଅଭିଯୋଗ କରିଛି ଯେ, ୱାଶିଂଟନ ପ୍ରକୃତ ଶାନ୍ତି ଚାହୁଁନାହିଁ, ବରଂ ବିଶ୍ୱ ତେଲ ଦର ନିୟନ୍ତ୍ରଣ କରିବାକୁ ଚାହୁଁଛି।

ହର୍ମୁଜ ପ୍ରଣାଳୀରେ ଆର୍ଥିକ ଯୁଦ୍ଧ ମଧ୍ୟ ତୀବ୍ର ହୋଇଛି। ଆମେରିକା ବିଶ୍ୱର ଜାହାଜ ଚଳାଚଳ କମ୍ପାନୀମାନଙ୍କୁ ଇରାନକୁ କୌଣସି ପ୍ରକାର ଶୁଳ୍କ ନଦେବାକୁ ଚେତାବନୀ ଦେଇଛି। ଏହା ସହ ଡିଜିଟାଲ୍‌ ଭୁଗତାନ ବା ବିନିମୟକୁ ମଧ୍ୟ କଟକଣା ଉଲ୍ଲଂଘନ ଭାବେ ଗଣାଯିବ ବୋଲି କୁହାଯାଇଛି। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ପ୍ରାୟ ୪୫ଟି ବାଣିଜ୍ୟିକ ଜାହାଜକୁ ଫେରାଇ ଦିଆଯାଇଛି। ଏଥିରୁ ଇରାନର ତୈଳ ଆୟରେ ବଡ଼ ପ୍ରଭାବ ପଡ଼ିଛି। ମେ ୧ ସୁଦ୍ଧା ଇରାନର ପ୍ରାୟ ୪.୮ ବିଲିୟନ ଡଲାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଏହା ସହ ଆମେରିକା ଇସ୍ରାଏଲ ଓ ଅନ୍ୟ ମଧ୍ୟପ୍ରାଚ୍ୟ ସହଯୋଗୀମାନଙ୍କ ପାଇଁ ୮.୬ ବିଲିୟନ ଡଲାରର ସାମରିକ ବିକ୍ରୟକୁ ମଞ୍ଜୁରି ଦେଇଛି। ଉଭୟ ଦେଶ ନିଜ ନିଜ ଅବସ୍ଥାନରେ ଅଟଳ ରହିଥିବାରୁ ହର୍ମୁଜ ପ୍ରଣାଳୀରେ ଯୁଦ୍ଧ ଆଶଙ୍କା ବଢ଼ିଛି।

Leave a Reply

Your email address will not be published. Required fields are marked *