ନୂଆଦିଲ୍ଲୀ, ୨ ମେ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଗଣତି କେନ୍ଦ୍ରଗୁଡ଼ିକରେ କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କୁ ସୁପରଭାଇଜର ଏବଂ ସହାୟକ ଭାବେ ନିଯୁକ୍ତ କରିବାକୁ ଭାରତୀୟ ନିର୍ବାଚନ କମିସନ ନେଇଥିବା ନିଷ୍ପତ୍ତିକୁ କୋର୍ଟ କାଏମ ରଖିଛନ୍ତି। ଟିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରୀୟ କର୍ମଚାରୀମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବିରୋଧରେ କାମ କରିବେ ବୋଲି ଧାରଣା କରିବା ଠିକ୍ ନୁହେଁ।
ଏହି ମାମଲାର ଶୁଣାଣି ଜଷ୍ଟିସ ପି.ଏସ୍. ନରସିଂହା ଓ ଜଷ୍ଟିସ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠରେ ହୋଇଥିଲା। ଶୁଣାଣି ସମୟରେ ଟିଏମ୍ସି ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ରଖିଥିଲେ ଯେ, ନିର୍ବାଚନ କମିସନଙ୍କ ସର୍କୁଲାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପ୍ରତି ଅବିଶ୍ୱାସ ପ୍ରକାଶ କରୁଛି। ତେବେ ଜଷ୍ଟିସ ନରସିଂହା ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ନିଯୁକ୍ତ ସମସ୍ତ ବ୍ୟକ୍ତି ସରକାରୀ କର୍ମଚାରୀ ଓ ସେମାନଙ୍କୁ କେବଳ କେନ୍ଦ୍ରୀୟ କର୍ମଚାରୀ ଭାବେ ଦେଖି ଭେଦଭାବ କରିବା ଉଚିତ୍ ନୁହେଁ। ସେମାନେ ନିରପେକ୍ଷ ଭାବରେ କାମ କରିବେ ବୋଲି ବିଶ୍ୱାସ କରାଯିବା ଉଚିତ୍। ଜଷ୍ଟିସ ଜୟମାଲ୍ୟ ବାଗଚି ମଧ୍ୟ କହିଥିଲେ ଯେ, ନିଯୁକ୍ତ ବ୍ୟକ୍ତି କେନ୍ଦ୍ର ସରକାର ପକ୍ଷରୁ ମନୋନୀତ କି ନୁହେଁ, ସେଥିରେ କୌଣସି ମତଲବ ନାହିଁ। ନିର୍ବାଚନ କମିସନଙ୍କ ପାଖରେ ନିଜ ଇଚ୍ଛା ଅନୁସାରେ କର୍ମଚାରୀ ବାଛିବାର ପୂର୍ଣ୍ଣ ଅଧିକାର ରହିଛି। କୋର୍ଟ ଆହୁରି କହିଛନ୍ତି ଯେ, ଭୋଟ ଗଣତି ସମୟରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟମାନେ ଉପସ୍ଥିତ ରହିବେ। ତେଣୁ ପ୍ରକ୍ରିୟାରେ କୌଣସି ଅନିୟମିତତା ହେବାର ସମ୍ଭାବନା ଅତ୍ୟନ୍ତ କମ୍। ଏହା ପୂର୍ବରୁ କୋଲକାତା ହାଇକୋର୍ଟ ମଧ୍ୟ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଆସନ୍ତା ସୋମବାର, ମେ ୪ ତାରିଖରେ ଭୋଟ ଗଣତି ହେବ।
