ଓୟାଶିଙ୍ଗଟନ/ତେହେରାନ/ଦୁବାଇ, ୨୯/୩: ଇରାନ ବିରୋଧରେ ସ୍ଥଳ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀ ଓ ଖାର୍ଗ ଦ୍ବୀପକୁ ଲକ୍ଷ୍ୟ କରି ପ୍ରଚଣ୍ଡ ଆକ୍ରମଣ ପାଇଁ ପେଣ୍ଟାଗନ୍ ସଜ୍ଜ ଅଛି। ତେହେରାନର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ଲକ୍ଷ୍ୟରେ ହ୍ୱାଇଟ୍ ହାଉସର ଏହି ନୂତନ ରଣନୀତି ପଶ୍ଚିମ ଏସିଆର ଯୁଦ୍ଧକୁ ନୂଆ ମୋଡ଼ ଦେଇଛି।
ଯୁଦ୍ଧର ପଞ୍ଚମ ସପ୍ତାହରେ ପ୍ରବେଶ କରିଥିବାବେଳେ, ଆମେରିକାର ସାମରିକ ବିଭାଗ ପେଣ୍ଟାଗନ୍ ଇରାନକୁ ଦୁର୍ବଳ କରିବା ପାଇଁ ଅତ୍ୟନ୍ତ ଆକ୍ରାମକ ରଣନୀତି ଗ୍ରହଣ କରୁଛି। କେବଳ ଆକାଶମାର୍ଗରୁ ବୋମା ବର୍ଷଣ ନୁହେଁ, ବରଂ ସ୍ଥଳଭାଗରେ ବ୍ୟାପକ ସାମରିକ ଅଭିଯାନ ପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।
ଏହି ଯୋଜନାରେ ମୁଖ୍ୟତଃ ତିନୋଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମେ, ହର୍ମୁଜ ଅଞ୍ଚଳରେ ଥିବା ଇରାନର ମିସାଇଲ୍ ଓ ଡ୍ରୋନ ଘାଟିଗୁଡ଼ିକୁ ସ୍ପେସିଆଲ୍ ଫୋର୍ସ ଦ୍ୱାରା ଧ୍ବଂସ କରାଯିବ। ଏହାପରେ ଅନ୍ତର୍ଜାତୀୟ ଜଳପଥରେ ଜାହାଜ ଚଳାଚଳ ସୁରକ୍ଷିତ ହେବ। ଦ୍ୱିତୀୟରେ, ଇରାନର ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ବୀପକୁ ଅବରୋଧ କିମ୍ବା କବ୍ଜା କରିବା ଯୋଜନା ରହିଛି। ଏହି ଦ୍ବୀପ ମାଧ୍ୟମରେ ଇରାନର ପ୍ରାୟ ୯୦% ଅଶୋଧିତ ତୈଳ ବିଦେଶକୁ ଯାଏ, ଯାହାକୁ ଅଚଳ କରାଗଲେ ଇରାନର ଅର୍ଥନୀତି ଭାଙ୍ଗିପଡ଼ିବ। ତୃତୀୟରେ, ଉପକୂଳ ଅଞ୍ଚଳରେ ସ୍ଥଳସେନା ଚଢ଼ଉ କରି ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରାଯିବ।
ଏହି ଅଭିଯାନ ପାଇଁ ପ୍ରାୟ ୩୫୦୦ ମେରିନ୍ କମାଣ୍ଡୋ ଏବଂ ୮୨ତମ ଏୟାରବୋର୍ଣ୍ଣ ଡିଭିଜନର ୪ ହଜାର ପାରାଟ୍ରୁପର୍ ପ୍ରସ୍ତୁତ ରଖାଯାଇଛନ୍ତି। ଯଦିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ସ୍ଥଳ ଅଭିଯାନକୁ ଚୂଡ଼ାନ୍ତ ମଞ୍ଜୁରି ଦେଇନାହାନ୍ତି, ପେଣ୍ଟାଗନ୍ର ପ୍ରସ୍ତୁତି ଦେଖିଲେ ଯୁଦ୍ଧ ଏକ ନିର୍ଣ୍ଣାୟକ ଅବସ୍ଥାରେ ପହଞ୍ଚିଥିବା ସ୍ପଷ୍ଟ।
ଅନ୍ୟପଟେ, ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୫୦ରୁ ୨୦୦ ଡଲାର ପର୍ଯ୍ୟନ୍ତ ବଢ଼ିପାରେ। ଇରାନ ଉପରେ ଚାପ ବଢ଼ାଇ ସର୍ତ୍ତ ମାନିବାକୁ ବାଧ୍ୟ କରିବା ପାଇଁ ଏହି ରଣନୀତିକୁ ଅନେକ ସାମରିକ ବିଶେଷଜ୍ଞ ସମାଲୋଚନା କରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ୫୦ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ଏବଂ ୧୫୦ରୁ ଅଧିକ ଯୁଦ୍ଧ ବିମାନ ମୁତୟନ ଅଛନ୍ତି।
