ୱାଶିଙ୍ଗଟନ, ୨୪ ଏପ୍ରିଲ: ଇରାନ ସହ ଚାଲିଥିବା ସଂଘର୍ଷ ଆମେରିକାର ସାମରିକ କ୍ଷମତା ଉପରେ ଭାରୀ ଚାପ ସୃଷ୍ଟି କରିଛି। ଯେଉଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଆମେରିକା ଭବିଷ୍ୟତର ବଡ଼ ଯୁଦ୍ଧ ପାଇଁ ସଞ୍ଚୟ କରି ରଖିଥିଲା, ସେଗୁଡ଼ିକ ଏବେ ଇରାନ ବିରୋଧୀ ଅଭିଯାନରେ ଦ୍ରୁତ ଗତିରେ ବ୍ୟୟ ହେଉଛି। ଏହା ଆମେରିକା ପାଇଁ ଏକ ଗୁରୁତର ରଣନୈତିକ ସମସ୍ୟା ଭାବେ ଦେଖାଦେଇଛି। ପ୍ରତିରକ୍ଷା ବିଶ୍ଳେଷକମାନଙ୍କ ମତାନୁସାରେ, ଏହି ଅସ୍ତ୍ରାଭାବ କେବଳ ଇରାନ ବିରୋଧରେ ଆମେରିକାର ଯୁଦ୍ଧକ୍ଷମତାକୁ ସୀମିତ କରୁନାହିଁ, ବରଂ ନାଟୋ ମିତ୍ର ଦେଶମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଦୁର୍ବଳ କରିପାରେ। ଯଦି ଅନ୍ୟ କୌଣସି ଅଞ୍ଚଳରେ ଏକା ସମୟରେ ସଂଘର୍ଷ ସୃଷ୍ଟି ହୁଏ, ତେବେ ଆମେରିକାକୁ ଅସ୍ତ୍ର ଯୋଗାଣରେ ସମସ୍ୟା ହୋଇପାରେ।
ଏହି ସମୟରେ ଚୀନ୍ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଥିବାରୁ ପରିସ୍ଥିତି ଆହୁରି ଗୁରୁତର ହୋଇଛି। ଆମେରିକାର ଅନେକ ଅତ୍ୟାଧୁନିକ ଅସ୍ତ୍ର ମୂଳତଃ ଚୀନ୍ ସହ ସମ୍ଭାବ୍ୟ ସଂଘର୍ଷକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ମଧ୍ୟପ୍ରାଚ୍ୟରେ ବ୍ୟବହୃତ ହେଉଥିବାରୁ ଭବିଷ୍ୟତ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ପେଣ୍ଟାଗନର ଆକଳନ ଅନୁଯାୟୀ, ଦୀର୍ଘପାଳିଆ ନିଶାନା ଭେଦକ କ୍ଷେପଣାସ୍ତ୍ରର ମଜୁତ ଦ୍ରୁତ ହାରରେ କମୁଛି। ବିଶେଷକରି ଜେଏଏସଏସଏମ୍-ଇଆର ପ୍ରକାରର କ୍ଷେପଣାସ୍ତ୍ର ବହୁ ପରିମାଣରେ ବ୍ୟବହୃତ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ୧,୧୦୦ଟି କ୍ଷେପଣାସ୍ତ୍ର ବ୍ୟବହାର ହୋଇସାରିଥିବା ବେଳେ ଗୋଦାମରେ ମାତ୍ର ୧,୫୦୦ଟି ଅବଶିଷ୍ଟ ରହିଛି।
ଏହି ପରିସ୍ଥିତିରେ ଆମେରିକା ନିଜ ଅସ୍ତ୍ର ଉତ୍ପାଦନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାର ଯୋଜନା ନେଇଛି। ପେଣ୍ଟାଗନ ପକ୍ଷରୁ ପ୍ରତିରକ୍ଷା କମ୍ପାନୀମାନଙ୍କୁ କ୍ଷେପଣାସ୍ତ୍ର, ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳୀ ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀର ଉତ୍ପାଦନ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇରାନର ଡ୍ରୋନ୍ ପ୍ରଯୁକ୍ତି ଆମେରିକୀୟ ସେନା ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହୋଇଉଠିଛି। ଅଳ୍ପ ଖର୍ଚ୍ଚରେ ବହୁ ସଂଖ୍ୟକ ଡ୍ରୋନ୍ ଆକ୍ରମଣକୁ ରୋକିବା ଦୁର୍ବିସହ ହୋଇପଡ଼ିଛି। ଏହି କାରଣରୁ ଆମେରିକା ନୂତନ ଲେଜର ଭିତ୍ତିକ ପ୍ରତିରକ୍ଷା ଅସ୍ତ୍ର ଉନ୍ନୟନ ଉପରେ ଜୋର ଦେଉଛି।
ବିଶେଷଜ୍ଞମାନଙ୍କ ମତରେ, ଯଦି ଯୁଦ୍ଧ ଦୀର୍ଘସ୍ଥାୟୀ ହୁଏ, ତେବେ ଆମେରିକାକୁ କେବଳ ଅସ୍ତ୍ର ନୁହେଁ, ଅର୍ଥନୈତିକ ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ବଡ଼ ଚାପ ସହିବାକୁ ପଡ଼ିପାରେ। ତେଣୁ ବର୍ତ୍ତମାନର ସଙ୍କଟ ଆମେରିକା ପାଇଁ କେବଳ ଏକ ଯୁଦ୍ଧ ନୁହେଁ, ଏକ ଦୀର୍ଘକାଳୀନ ସୁରକ୍ଷା ପରୀକ୍ଷା ଭାବେ ପରିଣତ ହେଉଛି।
ଆମେରିକା ପାଇଁ ଅସ୍ତ୍ର ସଙ୍କଟ
