ହର୍ମୂଜ ପରେ ବାବ୍‌ ଏଲ୍‌ ମଣ୍ଡେବ ପ୍ରଣାଳୀ ଉପରେ ଇରାନର ନଜର

ତେହେରାନ, ୪/୪: ଆମେରିକା ଓ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷର ପରିପ୍ରେକ୍ଷିତରେ ଇରାନ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ହର୍ମୂଜ ପ୍ରଣାଳୀକୁ ବନ୍ଦ କରି ବିଶ୍ୱ ଶକ୍ତି ଯୋଗାଣ ଉପରେ ଭାରୀ ଚାପ ସୃଷ୍ଟି କରିଛି। ଏବେ ଇରାନ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଚୋକ୍‌ ପଏଣ୍ଟ ‘ବାବ୍‌ ଏଲ୍‌ ମଣ୍ଡେବ’ ପ୍ରଣାଳୀକୁ ମଧ୍ୟ ଟାର୍ଗେଟ୍‌ କରିପାରେ ବୋଲି ସଙ୍କେତ ମିଳିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଘଲିବାଫ ସୋସିଆଲ୍‌ ମିଡିଆରେ କରିଥିବା ଏକ ପୋଷ୍ଟରେ ବାବ୍‌ ଏଲ୍‌ ମଣ୍ଡେବ ପ୍ରଣାଳୀକୁ ଉଲ୍ଲେଖ କରି ଏହାର ଗୁରୁତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଏହି ପଥ ଦ୍ୱାରା କେତେ ପରିମାଣର ତେଲ, ଏଲଏନଜି, ଗହମ, ଚାଉଳ ଏବଂ କୀଟନାଶକ ପରିବହନ କରାଯାଉଛି ଏବଂ କେଉଁ ଦେଶ ଓ କମ୍ପାନୀମାନେ ଏଥିରେ ଅଧିକ ନିର୍ଭରଶୀଳ।
ବିଶେଷଜ୍ଞମାନଙ୍କ ମତାନୁସାରେ, ବାଚସ୍ପତିଙ୍କ ଏହି ଟିପ୍ପଣୀ ଇରାନର ଆଗାମୀ ରଣନୀତି ପାଇଁ ଏକ ସ୍ପଷ୍ଟ ସଙ୍କେତ। ଏହାର ଅର୍ଥ, ବାବ୍‌ ଏଲ୍‌ ମଣ୍ଡେବ ପ୍ରଣାଳୀ ବର୍ତ୍ତମାନ ଇରାନର ଫୋକସ୍‌ରେ ରହିଛି। ଉଲ୍ଲେଖନୀୟ ଯେ, ବାବ୍‌ ଏଲ୍‌ ମଣ୍ଡେବ ପ୍ରଣାଳୀ ଲୋହିତ ସାଗରକୁ ଗଲ୍ଫ ଅଫ୍‌ ଏଡେନ ସହିତ ସଂଯୋଗ କରୁଥିବା ଏକ ପ୍ରମୁଖ ସାମୁଦ୍ରିକ ରାସ୍ତା। ଏହି ପଥ ବିଶ୍ୱ ବ୍ୟବସାୟ ପାଇଁ ଅତ୍ୟନ୍ତ ଜରୁରୀ, କାରଣ ଏଠାରୁ ବିପୁଳ ପରିମାଣରେ ଶକ୍ତି ସମ୍ପଦ ଏବଂ ଆବଶ୍ୟକୀୟ ପଣ୍ୟ ପରିବହନ ହୋଇଥାଏ। ଏହି ପରିସ୍ଥିତିରେ ଯଦି ଇରାନ ଏହି ପ୍ରଣାଳୀକୁ ମଧ୍ୟ ବାଧା ଦେଇଥାଏ, ତେବେ ବିଶ୍ୱ ବଜାରରେ ତେଲ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଏହା ସହିତ ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଚାଲିଥିବା ଆକ୍ରମଣ ମଧ୍ୟରେ ବାଚସ୍ପତିଙ୍କ ଏହି ଟିପ୍ପଣୀ ଆନ୍ତର୍ଜାତୀୟ ମଞ୍ଚରେ ନୂଆ ଚାପ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *