ଆମେରିକାର ‘ଷ୍ଟିଲ୍ଥ୍’ ଅହଙ୍କାର ଚୂର୍ଣ୍ଣ

ତେହେରାନ/ୱାଶିଂଟନ, ୪/୪: ଆମେରିକାର ସାମରିକ ଶକ୍ତିର ମୂଳ ଭିତ୍ତି କୁହାଯାଉଥିବା ଏହାର “ବାୟୁସେନା ଅଧିପତ୍ୟ” ଚଳିତ ସପ୍ତାହରେ ଏକ ବଡ଼ ଧକ୍କା ଖାଇଛି। ଇରାନର ସମନ୍ୱିତ ପ୍ରତିରକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ “ଷ୍ଟିଲ୍ଥ୍” (ରାଡାରରେ ଅଦୃଶ୍ୟ) ବିମାନକୁ ଧ୍ୱଂସ କରିଥିବା ଦାବି ପରେ ଆଧୁନିକ ଯୁଦ୍ଧ କୌଶଳରେ ଏକ ନୂତନ ପରିବର୍ତ୍ତନ ଦେଖାଯାଇଛି। ଆମେରିକାର “ଏଫ୍-୩୫ ଲାଇଟନିଂ-II” ଯୁଦ୍ଧବିମାନ, ଯାହାକୁ କୌଣସି ରାଡାର ଧରିପାରିବ ନାହିଁ ବୋଲି ଦାବି କରାଯାଉଥିଲା, ସେହି ବିମାନକୁ ଇରାନର ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯାଇଥିବା କଥା ଇରାନ ପକ୍ଷରୁ କୁହାଯାଇଛି। ପାରମ୍ପରିକ ରାଡାର ପରିବର୍ତ୍ତେ ତାପମାତ୍ରା (ହିଟ୍ ସିଗ୍ନେଚର୍) ଭିତ୍ତିକ ପ୍ରଣାଳୀ ବ୍ୟବହାର କରି ଏହି ବିମାନକୁ ଠାବ କରାଯାଇଥିବା ଦାବି ହେଉଛି।

              ଏହି ସଂଘର୍ଷରେ ଇରାନର “ମଜିଦ୍” ପ୍ରତିରକ୍ଷା ବ୍ୟବସ୍ଥା ବିଶେଷ ଭୂମିକା ନେଇଛି। ଏହି ବ୍ୟବସ୍ଥା ପାସିଭ୍ ଇନ୍‌ଫ୍ରାରେଡ୍‌ ପ୍ରଣାଳୀ ବ୍ୟବହାର କରି ବିମାନର ଇଞ୍ଜିନରୁ ବାହାରୁଥିବା ତାପକୁ ଚିହ୍ନଟ କରି ଲକ୍ଷ୍ୟଭେଦ କରେ। ଏଥିରେ ବିମାନର ରାଡାର ୱାର୍ଣ୍ଣିଂ ରିସିଭର୍‌ ପୂର୍ବ ସତର୍କତା ପାଇପାରେ ନାହିଁ, ଯାହା ଫଳରେ ପାଇଲଟ୍‌ଙ୍କ ପାଖରେ ପ୍ରତିକ୍ରିୟା ପାଇଁ ସମୟ ରହେ ନାହିଁ।

     ଇରାନର ଦାବି ଅନୁସାରେ, ମାର୍ଚ୍ଚ ମାସରେ ଗୋଟିଏ ଏଫ୍-୩୫ ବିମାନ କ୍ଷତିଗ୍ରସ୍ତ ହୋଇ ଜରୁରୀ ଅବତରଣ କରିଥିଲା, ଯେତେବେଳେ ଗତକାଲି ଆଉ ଗୋଟିଏ ବିମାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା କୁହାଯାଇଛି। ଏହା ସହିତ ଆମେରିକାର ମୋଟ ବିମାନ କ୍ଷତି ସଂଖ୍ୟା ୧୬କୁ ପହଞ୍ଚିଥିବା ବେଳେ, “ଏଫ୍-୧୫ଇ ଷ୍ଟ୍ରାଇକ୍‌ ଇଗଲ୍‌” ଏବଂ “ଏ-୧୦ ଥଣ୍ଡରବୋଲ୍ଟ” ଭଳି ବିମାନ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଏଥିମଧ୍ୟରୁ ୭ଟି ବିମାନକୁ ସିଧାସଳଖ କ୍ଷେପଣାସ୍ତ୍ର ମାଡ଼ରେ ନଷ୍ଟ କରାଯାଇଥିବା ଦାବି ହେଉଛି।ଏହି ପରିସ୍ଥିତିରେ ଆମେରିକାର ବାୟୁ ଆଧିପତ୍ୟ କେବଳ ସୀମିତ ଅଞ୍ଚଳରେ ସୀମାବଦ୍ଧ ହୋଇପଡ଼ିଥିବା ବିଷୟ ସାମରିକ ମହଲରେ ଚର୍ଚ୍ଚା ହେଉଛି। ଏହାର ମୁଖ୍ୟ କାରଣ ହେଉଛି ଇରାନର “ମିସାଇଲ୍ ସିଟି”। ଦୁର୍ଗମ ପାହାଡ଼ ତଳେ ପ୍ରାୟ ୫୦୦ ମିଟର ଗଭୀରରେ ଥିବା ଏହି ଲଞ୍ଚର୍‌ଗୁଡ଼ିକ ଆକ୍ରମଣ ପରେ ତୁରନ୍ତ ସ୍ଥାନ ବଦଳାଇ ଦେଇଥାନ୍ତି। ଆମେରିକାର ଭାରୀ ବୋମାମାଡ଼ ସତ୍ତ୍ୱେ ଇରାନର ପ୍ରାୟ ୫୦% ଲଞ୍ଚର୍‌ ଏବେ ମଧ୍ୟ ସୁରକ୍ଷିତ ଏବଂ କାର୍ଯ୍ୟରତ ରହିଥିବା ଦାବି କରାଯାଇଛି। ସାମରିକ ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ପରିସ୍ଥିତିରେ ଆମେରିକା ପାଇଁ ନିର୍ଣ୍ଣାୟକ ବିଜୟ ହାସଲ କରିବା ସହଜ ହେବ ନାହିଁ।

Leave a Reply

Your email address will not be published. Required fields are marked *