୫ କେଜି ଗ୍ୟାସ୍‌ ବିକ୍ରିରେ କଟକଣା

ଭୁବନେଶ୍ୱର, ୫/୪(ଇମିସ): ରାଜ୍ୟରେ ଗ୍ୟାସ୍‌ ସଙ୍କଟ ନେଇ ଖାଉଟିମାନଙ୍କ ଚିନ୍ତା ବଢ଼ିଥିବାବେଳେ ସରକାର ପକ୍ଷରୁ ଲଗାତାର ସମୀକ୍ଷା ଓ ଆଶ୍ୱାସନା ଦିଆଯାଉଛି, କିନ୍ତୁ ସମସ୍ୟାର ସମାଧାନ ହୋଇନାହିଁ। ଏହି ପରିସ୍ଥିତିରେ ୫ କେଜି ସିଲିଣ୍ଡରରେ ଗ୍ୟାସ୍‌ ଭର୍ତ୍ତି ଓ ବିକ୍ରି ଉପରେ ସରକାର କଟକଣା ଜାରି କରିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଘୋଷଣା କରିବା ପରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିଛି। ଅନ୍ୟ ରାଜ୍ୟମାନଙ୍କରେ ୫ କେଜି ସିଲିଣ୍ଡର ଉପରେ ଏପରି କଟକଣା ନଥିବାବେଳେ, ହଠାତ୍ ଓଡ଼ିଶାରେ ଏପରି ପଦକ୍ଷେପକୁ ଗରିବ ଓ ଛାତ୍ର ସମାଜ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ସେ କହିଛନ୍ତି।

ସରକାରଙ୍କ କହିବା ଅନୁଯାୟୀ, ବେଆଇନ ଗ୍ୟାସ୍‌ କାରବାର ଓ କଳାବଜାରୀ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ଖୋଲା ବଜାରରେ ଗ୍ୟାସ୍‌ ବିକ୍ରି ଉପରେ ପ୍ରତିବନ୍ଧ ଲଗାଯାଇଛି ଏବଂ କେବଳ ଲାଇସେନ୍ସ୍‌ପ୍ରାପ୍ତ ଏଜେନ୍ସିମାନେ ହିଁ ଗ୍ୟାସ୍‌ ବିକ୍ରି କରିପାରିବେ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୫ କେଜି ସିଲିଣ୍ଡର ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ସାଧାରଣ ଲୋକମାନେ ସରକାରଙ୍କ କଳାବଜାରୀ ବିରୋଧୀ ପଦକ୍ଷେପକୁ ସମର୍ଥନ କରୁଥିବା ସତ୍ତ୍ୱେ, ୫ କେଜି ସିଲିଣ୍ଡର ବନ୍ଦ କରାଯାଇଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ଭଡ଼ା ଘରେ କିମ୍ବା ମେସ୍‌ରେ ରହୁଥିବା ଛାତ୍ରଛାତ୍ରୀ ଓ ଚାକିରି ଖୋଜିବା ପାଇଁ ସହରରେ ରହୁଥିବା ଯୁବପିଢ଼ି ଏହି ଛୋଟ ସିଲିଣ୍ଡର ଉପରେ ନିର୍ଭର କରନ୍ତି। ବଡ଼ ସିଲିଣ୍ଡର କିଣିବା ପାଇଁ ସେମାନଙ୍କର ଆର୍ଥିକ ସାମର୍ଥ୍ୟ ନଥିବାରୁ, ଅନେକେ ୫ କେଜି ସିଲିଣ୍ଡର ଦ୍ୱାରା ଦୈନନ୍ଦିନ କାମ ଚଳାଇଥାନ୍ତି। କିନ୍ତୁ ଏହି କଟକଣା ପରେ ସେମାନେ ଅସୁବିଧାରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହା ଫଳରେ ସେମାନଙ୍କ ଦୈନନ୍ଦିନ ଜୀବନ ଆହୁରି କଷ୍ଟସାଧ୍ୟ ହେବ ବୋଲି ମତ ଦିଆଯାଇଛି।

Leave a Reply

Your email address will not be published. Required fields are marked *