ଓସିଂଟନ, ୨୩/୫: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଏବେ ଅତ୍ୟନ୍ତ ସମ୍ବେଦନଶୀଳ ପର୍ଯ୍ୟାୟରେ ପହଞ୍ଚିଛି। କୂଟନୈତିକ ପ୍ରୟାସ ବିଫଳ ହେଲେ ଇରାନ ଉପରେ ପୁଣି ଆକ୍ରମଣ କରାଯାଇପାରେ ବୋଲି ଟ୍ରମ୍ପ ସଙ୍କେତ ଦେଇଥିବାରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଛି
ଇରାନ ପକ୍ଷରୁ ମଧ୍ୟ ସେନାକୁ ସର୍ବାଧିକ ଆଲର୍ଟରେ ରଖାଯାଇଛି। କ୍ଷେପଣାସ୍ତ୍ର ୟୁନିଟ୍ଗୁଡ଼ିକୁ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି। ଏହି ମଧ୍ୟରେ ପାକିସ୍ତାନ ପକ୍ଷରୁ ମଧ୍ୟସ୍ଥତା ଚେଷ୍ଟା ଜାରି ରହିଥିଲେ ମଧ୍ୟ ସେଥିରୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, କୂଟନୈତିକ ବିଫଳତା ପରେ ଆମେରିକା ବର୍ତ୍ତମାନ ଶକ୍ତି ପ୍ରଦର୍ଶନ ଦିଗକୁ ଗତି କରୁଛି। ଏହା ବଡ଼ ଯୁଦ୍ଧର ଆଶଙ୍କାକୁ ଆହୁରି ଘନୀଭୂତ କରିଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଟ୍ରମ୍ପ ତାଙ୍କ ପୁଅଙ୍କ ବିବାହ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଏବଂ ନ୍ୟୁ ଜର୍ସି ଗଲ୍ଫ ରିସୋର୍ଟ ଯାତ୍ରାକୁ ମଧ୍ୟ ସ୍ଥଗିତ ରଖିଛନ୍ତି
ସୋସିଆଲ୍ ମିଡିଆରେ ଟ୍ରମ୍ପ କହିଛନ୍ତି ଯେ, ଜରୁରୀ ପରିସ୍ଥିତି ଓ ଦେଶ ପ୍ରତି କର୍ତ୍ତବ୍ୟ ଯୋଗୁଁ ତାଙ୍କୁ ହ୍ଵାଇଟ୍ ହାଉସ୍ରେ ରହିବାକୁ ପଡ଼ୁଛି। ନ୍ୟୁୟର୍କରେ ଏକ ସଭା ପରେ ସେ କୌଣସି ସାମ୍ବାଦିକ ପ୍ରଶ୍ନର ଉତ୍ତର ନ ଦେଇ ସିଧାସଳଖ ଓ୍ଵାସିଂଟନ, ଡିସି ଫେରିଆସିଥିଲେ
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍କୁ ନଜରରେ ରଖି ସାମରିକ ଓ ଗୁପ୍ତଚର ବିଭାଗର ଅନେକ ବରିଷ୍ଠ ଅଧିକାରୀ ତାଙ୍କର “ମେମୋରିଆଲ୍ ଡେ” ଛୁଟି ବାତିଲ କରିଛନ୍ତି। ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ଆମେରିକୀୟ ସେନା ଏବଂ ବିଦେଶୀ ସାମରିକ ଘାଟିଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି
ପେଣ୍ଟାଗନ୍ ପକ୍ଷରୁ ସମ୍ଭାବ୍ୟ ଇରାନ ପ୍ରତିଆକ୍ରମଣର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ହ୍ଵାଇଟ୍ ହାଉସ୍ର ମୁଖପାତ୍ର କହିଛନ୍ତି, ଯଦି ଇରାନ ଶାନ୍ତି ଚୁକ୍ତି କରିବାରେ ବିଫଳ ହୁଏ, ତେବେ ଏହାର ଭୟଙ୍କର ପରିଣାମ ହେବ
ଇରାନ ସହ ଚାଲିଥିବା ଆଲୋଚନାରେ ସୁଫଳ ନ ମିଳିବାରୁ ଟ୍ରମ୍ପ ଅତ୍ୟନ୍ତ ନିରାଶ ଓ କ୍ରୋଧିତ ଥିବା କୁହାଯାଉଛି। ପୂର୍ବରୁ ସେ କୂଟନୈତିକ ସମାଧାନ ପାଇଁ ଆକ୍ରମଣକୁ ସ୍ଥଗିତ ରଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି
ଏହାମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ତେହେରାନରେ ପହଞ୍ଚି ଇରାନ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଇରାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଓ୍ଵାସିଂଟନ ଡିସି ଓ ତେହେରାନ ମଧ୍ୟରେ ମତଭେଦ ଏବେ ବହୁତ ଗଭୀର ରହିଛି
