ଆଜି ସଂପୂର୍ଣ୍ଣ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ

Chandragrahan ai image

ଭୁବନେଶ୍ୱର, ୨/୩: ମଙ୍ଗଳବାର ଦୋଳପୂର୍ଣ୍ଣିମା ଅବସରରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଘଟୁଛି। ଏହି ଗ୍ରହଣ ଓଡ଼ିଶା ସହ ଭାରତର କେତେକ ଅଞ୍ଚଳରେ ଆଂଶିକ ଭାବେ ଦୃଶ୍ୟ ହେବ।

ଜଣାପଡ଼ିଛି ଯେ ଆଂଶିକ ଗ୍ରହଣ ଦିବା ୩ଟା ୨୦ରୁ ଆରମ୍ଭ ହେବ ଓ ସଂପୂର୍ଣ୍ଣ ଗ୍ରହଣ ଦିବା ୪ଟା ୩୪ରେ ଆରମ୍ଭ ହେବ। କିନ୍ତୁ ଦିନବେଳା ଥିବାରୁ ଏହି ପର୍ଯ୍ୟାୟ ଦୃଶ୍ୟମାନ ହେବ ନାହିଁ। ସଂପୂର୍ଣ୍ଣ ଗ୍ରହଣ ଅପରାହ୍ନ ୫ଟା ୩୨ରେ ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ ହେବ, ଯାହା ମଧ୍ୟ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟ ହେବ ନାହିଁ।

ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ୫ଟା ୫୦ରେ ଚନ୍ଦ୍ରୋଦୟ ସମୟରେ ଗ୍ରହଣ ଲାଗିଥିବା ଅବସ୍ଥାରେ ଚନ୍ଦ୍ର ଦୃଶ୍ୟ ହେବ। ଏହା ହେଉଛି ଗ୍ରହଣର ଶେଷ ଆଂଶିକ ପର୍ଯ୍ୟାୟ। ସନ୍ଧ୍ୟା ୬ଟା ୪୭ରେ ଆଂଶିକ ଗ୍ରହଣ ଶେଷ ହେବା ସହ ସର୍ବମୋକ୍ଷ ଘଟିବ।

ଧାର୍ମିକ ନିୟମାନୁସାରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଏବଂ ଗ୍ରସ୍ତୋଦୟ କ୍ଷେତ୍ରରେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନ ନିଷିଦ୍ଧ ହୋଇଥାଏ। ଗ୍ରସ୍ତୋଦୟ ହେତୁ ଗ୍ରହଣ ଦୃଶ୍ୟର ୧୨ ଘଣ୍ଟା ପୂର୍ବରୁ, ଅର୍ଥାତ୍ ସୂର୍ଯ୍ୟୋଦୟଠାରୁ ହାଣ୍ଡିଛାଡ଼ ଓ ଦେବନୀତି ନିଷିଦ୍ଧ ରହିବ। ପ୍ରାତଃପୂଜା ଭୋର ୫ଟା ୫୦ ପୂର୍ବରୁ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି।

ସନ୍ଧ୍ୟା ୬ଟା ୪୭ ପରେ ସ୍ନାନ କରି ଠାକୁରମାନଙ୍କ ମହାସ୍ନାନ କରାଇ ସନ୍ଧ୍ୟାକାଳୀନ ପୂଜା ଓ ରୋଷେଇବାସ ଆରମ୍ଭ କରାଯାଇପାରିବ। ଛୋଟ ପିଲା, ବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଏହି ନିୟମ ଅନୁସରଣ ବାଧ୍ୟତାମୂଳକ ନୁହେଁ ବୋଲି ଜ୍ୟୋତିର୍ବିଦ୍‌ମାନେ ସୂଚନା ଦେଇଛନ୍ତି।

ଜ୍ୟୋତିଷ ମତାନୁସାରେ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ଲୋକମାନେ ଏବଂ ୨, ୫, ୧୧, ୧୪, ୨୦ ଓ ୨୩ ନକ୍ଷତ୍ରଜାତ ବ୍ୟକ୍ତିମାନଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ମନାଯାଇଥିବା ବେଳେ, ଅନ୍ୟମାନଙ୍କ ପାଇଁ ଶୁଭ ବୋଲି ମନେ କରାଯାଏ। ପ୍ରଥମ ଦର୍ଶନ ପାଇଁ କୌଣସି ବାରଣ ନାହିଁ।

Leave a Reply

Your email address will not be published. Required fields are marked *