ପୁଣି ଆମେରିକାର କଡ଼ା ଚେତାବନୀ, ହର୍ମୁଜ ଖୋଲିବାକୁ ଆହ୍ୱାନ

ତେହେରାନ/ୱାସିଂଟନ, ୩୦/୩: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଜି ୩୧ତମ ଦିନରେ ପହଞ୍ଚିଛି। ତେହେରାନ ସହିତ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକ ଉପରେ ଗତକାଲି ରାତି ସାରା ଇସ୍ରାଏଲ ଓ ଆମେରିକା ସେନା ଆକ୍ରମଣ କରିଛନ୍ତି।

ଏହା ସହିତ ଆମେରିକା ସ୍ଥଳଯୁଦ୍ଧ ପାଇଁ ତୀବ୍ର ପ୍ରସ୍ତୁତି ଆରମ୍ଭ କରିଛି ଏବଂ ପଶ୍ଚିମ ଏସିଆର ବିଭିନ୍ନ ଦେଶରେ ପ୍ରାୟ ୫୭ ହଜାର ସୈନ୍ୟ ମୁତୟନ କରିଛି।

ଏହି ପରିପ୍ରେକ୍ଷିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି, ଯଦି ଶୀଘ୍ର ଯୁଦ୍ଧ ଶେଷ ପାଇଁ କୌଣସି ସମ୍ମତି ନ ହୁଏ, ତେବେ ଇରାନର ବିଦ୍ୟୁତ କେନ୍ଦ୍ର, ତୈଳ କ୍ଷେତ୍ର ଓ ଖାର୍ଗ ଦ୍ୱୀପ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ।

ସେ ସୋସିଆଲ ମିଡିଆରେ ମଧ୍ୟ କହିଛନ୍ତି ଯେ, ଇରାନ ଯଦି ତୁରନ୍ତ ହର୍ମୁଜ ପ୍ରଣାଳୀକୁ ବ୍ୟବସାୟ ପାଇଁ ଖୋଲି ନ ଦିଏ, ତେବେ ଆମେରିକା ତୁରନ୍ତ କଠୋର ପଦକ୍ଷେପ ନେବ। ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନରେ ସାମରିକ ଅଭିଯାନ ଶେଷ କରିବା ପାଇଁ ନୂତନ ନେତୃତ୍ୱ ସହ ଆଲୋଚନା ଚାଲିଛି ଏବଂ ଏଥିରେ ଦ୍ରୁତ ପ୍ରଗତି ହେଉଛି।

ଅନ୍ୟପକ୍ଷରେ ଇରାନ ମଧ୍ୟ ଆମେରିକା ଓ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛି। ଇରାନର ଯୁଗ୍ମ ସାମରିକ କମାଣ୍ଡ ମୁଖପାତ୍ର କହିଛନ୍ତି ଯେ, ସାଧାରଣ ଲୋକଙ୍କ ଉପରେ ହେଉଥିବା ଆକ୍ରମଣର ଜବାବରେ ଆମେରିକା ଓ ଇସ୍ରାଏଲର ସାମରିକ ଓ ରାଜନୈତିକ ଅଧିକାରୀମାନଙ୍କ ଘରକୁ ଟାର୍ଗେଟ କରାଯିବ।

ଏହି ସଂଘର୍ଷ ମଧ୍ୟରେ କୁଏତର ଏକ ଶକ୍ତି ଓ ଜଳ ବିଶୋଧନ କେନ୍ଦ୍ର ଉପରେ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ଏସିଆରେ ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ବଢ଼ି ଯାଇଛି।

ଉତ୍ତର ଇସ୍ରାଏଲର ହାଇଫା ଅଞ୍ଚଳରେ ଥିବା ଏକ ତୈଳ ବିଶୋଧନାଗାରରେ ଇରାନର କ୍ଷେପଣାସ୍ତ୍ର ଅଂଶ ପଡ଼ିବାରୁ ଅଗ୍ନିକାଣ୍ଡ ଘଟିଛି। ଇସ୍ରାଏଲ ସେନା ଦାବି କରିଛି ଯେ, ସେମାନେ ତେହେରାନ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି, ଯାହାକୁ ଆଇଆରଜିସି ସହ ସମ୍ପର୍କିତ ବୋଲି କୁହାଯାଉଛି।

ଏହା ସହିତ ବାଗଦାଦ ବିମାନବନ୍ଦର ପରିସରରେ ଥିବା ଏକ ସାମରିକ ଘାଟି ଉପରେ ମଧ୍ୟ ରକେଟ୍ ଆକ୍ରମଣ ହୋଇଛି। ଏପରି ସ୍ଥିତିରେ ଯୁଦ୍ଧ ଆହୁରି ତୀବ୍ର ହେବାର ଆଶଙ୍କା ବଢ଼ିଛି। ଏହା ସହିତ, ଇରାନ ସମ୍ପର୍କିତ ସାମରିକ କାର୍ଯ୍ୟକଳାପ ଦେଖି ସ୍ପେନ ତା’ର ବାୟୁସୀମାକୁ ଆମେରିକୀୟ ସେନା ବିମାନ ପାଇଁ ବନ୍ଦ କରିଦେଇଛି।

Leave a Reply

Your email address will not be published. Required fields are marked *