ନୟାଗଡ଼, ୧୮ ମଇ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ସ୍ପଷ୍ଟ ଭାବେ ଅନୁଭୂତ ହେଉଛି। ଋତୁଚକ୍ରରେ ଦେଖାଦେଉଥିବା ଅସ୍ୱାଭାବିକ ପରିବର୍ତ୍ତନ ଚାଷ, ପାନୀୟଜଳ ଓ ସାଧାରଣ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରୁଛି। କେତେବେଳେ ଆବଶ୍ୟକତା ନଥିବା ସମୟରେ ପ୍ରବଳ ବର୍ଷା ହେଉଛି, ଆଉ କେତେବେଳେ ଚାଷ ପାଇଁ ଆବଶ୍ୟକ ସମୟରେ ବର୍ଷା ନହେବାରୁ ଚାଷଜମି ଶୁଖିଲା ପଡ଼ୁଛି। ଏହି ଅନିୟମିତ ବର୍ଷା ପରିସ୍ଥିତି ଆସନ୍ନ ପରିବେଶୀୟ ବିପଦର ସଙ୍କେତ ଦେଉଛି।
ନୟାଗଡ଼ ଜିଲ୍ଲାରେ ଗତ କିଛି ବର୍ଷ ଧରି ବର୍ଷାର ପରିମାଣ ଓ ସମୟରେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ବର୍ଷାର ଅନିୟମିତତା କେବଳ କୃଷିକୁ ନୁହେଁ, ଭୂତଳ ଜଳସ୍ତରକୁ ମଧ୍ୟ ପ୍ରଭାବିତ କରୁଛି। ପୋଖରୀ, ନଦୀ ଓ ଜଳାଶୟଗୁଡ଼ିକ ଧୀରେ ଧୀରେ ଶୁଖିଯାଉଥିବା ବେଳେ ପାନୀୟଜଳ ସମସ୍ୟା ମଧ୍ୟ ଗଭୀର ହେବାର ଆଶଙ୍କା ସୃଷ୍ଟି ହୋଇଛି। ଜଳ ସଂରକ୍ଷଣ ପାଇଁ ଖୋଳାଯାଇଥିବା ଅନେକ ପୋଖରୀରେ ମଧ୍ୟ ପାଣି ରହୁ ନଥିବା ଦେଖିବାକୁ ମିଳୁଛି।
ସ୍ୱତନ୍ତ୍ର ରିଲିଫ୍ କମିସନଙ୍କ ତଥ୍ୟ ଅନୁଯାୟୀ, ୨୦୨୨-୨୩ ମସିହାରେ ନୟାଗଡ଼ ଜିଲ୍ଲାରେ ୧୩୫୪.୩ ମିଲିମିଟର ସ୍ୱାଭାବିକ ବର୍ଷା ଆବଶ୍ୟକ ଥିବା ବେଳେ ୧୪୯୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହା ସ୍ୱାଭାବିକଠାରୁ ପ୍ରାୟ ୧୦.୫ ପ୍ରତିଶତ ଅଧିକ। ତେବେ ସମସ୍ତ ମାସରେ ବର୍ଷା ସମାନ ଭାବେ ହୋଇ ନଥିଲା। ଜୁନ୍ ମାସରେ ୨୦୩.୫ ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ ମାତ୍ର ୧୪୯.୨ ମିଲିମିଟର ବର୍ଷା ହୋଇଥିଲା, ଯାହା ୨୬.୭ ପ୍ରତିଶତ କମ୍। କେବଳ ଜୁଲାଇ ଓ ଅଗଷ୍ଟରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିଲା।
ସେହିପରି ୨୦୨୩-୨୪ ମସିହାରେ ମୋଟ ୧୩୫୪.୩ ମିଲିମିଟର ବର୍ଷା ଆବଶ୍ୟକ ଥିଲେ ମଧ୍ୟ ମାତ୍ର ୧୨୭୫.୧ ମିଲିମିଟର ବର୍ଷା ହୋଇଥିଲା। ଏହି ବର୍ଷ ପ୍ରାୟ ୫.୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିଲା। ଜିଲ୍ଲାର ୩ଟି ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ମିଳିଛି। ଜୁନ୍ ମାସରେ ୨୦୩.୫ ମିଲିମିଟର ଆବଶ୍ୟକ ଥିଲେ ମଧ୍ୟ କେବଳ ୧୨୩.୫ ମିଲିମିଟର ବର୍ଷା ହୋଇଥିଲା। ତେବେ ଜୁଲାଇରେ ସ୍ୱାଭାବିକ ଆବଶ୍ୟକତାଠାରୁ ୧୬.୬ ପ୍ରତିଶତ ଅଧିକ ବର୍ଷା ହୋଇଥିଲା।
୨୦୨୪-୨୫ ମସିହାରେ ମୋଟ ୧୪୧୫.୩ ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ ୧୫୦୮.୯ ମିଲିମିଟର ବର୍ଷା ହୋଇଥିଲା। ଏହା ସ୍ୱାଭାବିକଠାରୁ ୬.୬ ପ୍ରତିଶତ ଅଧିକ। କିନ୍ତୁ ବର୍ଷାର ସମୟ ଓ ବଣ୍ଟନରେ ଅସମତୁଳନ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଜୁନ୍ ମାସରେ ଆବଶ୍ୟକତାଠାରୁ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇରେ ମଧ୍ୟ ଆବଶ୍ୟକ ମାତ୍ରା ପୂରଣ ହୋଇ ନଥିଲା।
ପରିବେଶ ବିଜ୍ଞାନୀ ଓ ପୂର୍ବତନ ଡିଏଫ୍ଓ ସୁରେଶ ହୋତାଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଧାରାରେ ବଡ଼ ପରିବର୍ତ୍ତନ ଆସୁଛି। ତାପମାତ୍ରା ବୃଦ୍ଧିର ପ୍ରଭାବରେ ପ୍ରଶାନ୍ତ ମହାସାଗରର ସମୁଦ୍ର ପୃଷ୍ଠରେ ଅସ୍ୱାଭାବିକ ଉଷ୍ମତା ବୃଦ୍ଧି ପାଇଥାଏ, ଯାହାକୁ “ଏଲ୍ନିନୋ” କୁହାଯାଏ। ଏହା ମୌସୁମୀ ବାୟୁକୁ ଦୁର୍ବଳ କରି ବର୍ଷାକୁ ପ୍ରଭାବିତ କରିଥାଏ।
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ପଡ଼ିବାର ସମ୍ଭାବନା ପ୍ରାୟ ୮୨ ପ୍ରତିଶତ ରହିଛି। ଯଦି ଏହା ସକ୍ରିୟ ହୁଏ, ତେବେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଖାଦ୍ୟ ସଙ୍କଟ ଭଳି ପରିସ୍ଥିତି ମଧ୍ୟ ଉଦ୍ଭବ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ବର୍ଷା ଜଳ ସଂରକ୍ଷଣ, ଜଳାଶୟ ପୁନରୁଦ୍ଧାର ଓ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।ବିଶେଷଜ୍ଞମାନଙ୍କ ମତରେ, ବର୍ତ୍ତମାନର ପରିସ୍ଥିତି ଆଗାମୀ ଦିନ ପାଇଁ ଏକ ସତର୍କ ସଙ୍କେତ। ଯଦି ଏବେଠାରୁ ପାଣି ସଂରକ୍ଷଣ, ଗଛରୋପଣ ଓ ପରିବେଶ ସନ୍ତୁଳନ ରକ୍ଷା ପାଇଁ ପଦକ୍ଷେପ ନିଆ ନ ଯାଏ, ତେବେ ଭବିଷ୍ୟତରେ ଜଳ ସଙ୍କଟ ଓ କୃଷି ସମସ୍ୟା ଆହୁରି ଗୁରୁତର ହୋଇପାରେ।
