ତେହେରାନ/ୱାସିଂଟନ, ୩/୪: ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଓ ସାମରିକ ସଂଘର୍ଷର ସମ୍ମୁଖୀନ ହୋଇଛି। ଇରାନ ପ୍ରତିରକ୍ଷା ବାହିନୀ କୁଏତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି କେନ୍ଦ୍ର ଏବଂ ଜଳ ବିଶୋଧନ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ୍ କରି ଭୟାବହ କ୍ଷୟକ୍ଷତି ସୃଷ୍ଟି କରିଛି। ଏହି ଆକ୍ରମଣ ଗଲ୍ଫ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସାମରିକ ବିଶେଷଜ୍ଞମାନେ ଏହାକୁ “ଅର୍ଥନୈତିକ ଯୁଦ୍ଧର ନୂଆ ରୂପ” ବୋଲି ବର୍ଣ୍ଣନା କରିଛନ୍ତି। ଇରାନ ଏହା ଦର୍ଶାଇବାକୁ ଚାହୁଁଛି ଯେ ଯଦି ତା’ର ଅର୍ଥନୀତିକୁ ଅଟକାଯାଏ, ତେବେ ପଡ଼ୋଶୀ ତୈଳ ରପ୍ତାନିକାରୀ ଦେଶମାନେ ମଧ୍ୟ ସୁରକ୍ଷିତ ରହିବେ ନାହିଁ। କୁଏତର “ମୀନା ଅଲ-ଅହମଦୀ” ତୈଳ ବିଶୋଧନାଗାର ଏବଂ ଏକ ମୁଖ୍ୟ ଜଳ ପ୍ରକଳ୍ପ ଭାରୀ କ୍ଷତିଗ୍ରସ୍ତ ହୋଇଛି। ମରୁଭୂମି ଅଞ୍ଚଳରେ ଏହି ଜଳ ପ୍ରକଳ୍ପଗୁଡ଼ିକ ଜନଜୀବନର ଜୀବନରେଖା ସଦୃଶ ଥିବାରୁ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଏହା ସହିତ, ଆବୁଧାବିର ‘ହବସାନ୍’ ଗ୍ୟାସ୍ ପ୍ରକ୍ରିୟାକରଣ କେନ୍ଦ୍ରରେ ଡ୍ରୋନ୍ ଆକ୍ରମଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୟୁଏଇରେ ପଶ୍ଚିମ ଟେକ୍ କମ୍ପାନିମାନଙ୍କ ଡାଟା ସେଣ୍ଟର ମଧ୍ୟ ଆକ୍ରମଣର ଶିକାର ହୋଇଛି। ଇସ୍ରାଏଲ ସହ ଯୁଦ୍ଧ ମଧ୍ୟ ତୀବ୍ର ରୂପ ନେଇଛି। ଇରାନର ବାଲିଷ୍ଟିକ୍ ମିସାଇଲ୍ ତେଲ୍ ଆଭିଭ୍ ଓ ରମାତ୍ ଗନ୍ ସହରରେ ଆଘାତ କରି ଘରବାଡ଼ି ଓ ଯାନବାହନକୁ ଧ୍ୱଂସ କରିଛି। ହାଇଫାର ତୈଳ କେନ୍ଦ୍ର ମଧ୍ୟ ଆକ୍ରମଣରୁ ବଞ୍ଚିପାରିନାହିଁ। ଏହାର ପ୍ରତିକ୍ରିୟାରେ ଡୋନାଲ୍ଡ ଟ୍ରମ୍ପ କଠୋର ଚେତାବନୀ ଜାରି କରି କହିଛନ୍ତି ଯେ ଆମେରିକା ଇରାନର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାର କ୍ଷମତା ରଖେ ଏବଂ ଆବଶ୍ୟକ ହେଲେ କଠୋର ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି ) ଦାବି କରିଛି ଯେ ସେମାନେ ଏକାଧିକ ଆମେରିକୀୟ ଯୁଦ୍ଧ ବିମାନ, ଯେପରିକି ଏଫ୍-୧୫ ଓ ଏଫ୍-୩୫, ଖସାଇଦେଇଛନ୍ତି। ଇରାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜଭାଦ ଜାରିଫ୍ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ରଖି କହିଛନ୍ତି ଯେ ଯଦି ଆମେରିକା ନିଷେଧାଜ୍ଞା ହଟାଏ, ତେବେ ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିପାରିବ। ଏହି ସଂଘର୍ଷର ପ୍ରଭାବ ସାରା ବିଶ୍ୱରେ ପଡ଼ିଛି। ଜାତିସଂଘ ଅନୁସାରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଛି, ଏବଂ ଇଉରୋପିୟ ସଂଘ ମଧ୍ୟ ଅର୍ଥନୈତିକ ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛି। ଆନ୍ତର୍ଜାତୀୟ ଆଇନ ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ ସାଧାରଣ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ଜେନେଭା କନଭେନସନ୍ସର ସ୍ପଷ୍ଟ ଉଲ୍ଲଂଘନ।
ଶକ୍ତି କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ବର୍ଷା, ମଧ୍ୟପ୍ରାଚ୍ୟରେ ଭୟାବହ ସଙ୍କଟ
