ନିଃଶବ୍ଦ ତାତିରେ ଅସହ୍ୟ ହେଉଛି ରାତି, ବଢୁଥିବା “ଉଷ୍ମ ରାତି” ଚିନ୍ତାର କାରଣ

ନିଃଶବ୍ଦ ତାତିରେ ଅସହ୍ୟ ହେଉଛି ରାତି, ବଢୁଥିବା “ଉଷ୍ମ ରାତି” ଚିନ୍ତାର କାରଣ

     ଭୁବନେଶ୍ୱର, ୧୮ ମଇ: ଓଡ଼ିଶା ସହ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ବର୍ତ୍ତମାନ ରାତିର ତାପମାତ୍ରା ମଧ୍ୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଉଠିଛି। ପୂର୍ବରୁ ଦିନରେ ଅତ୍ୟଧିକ ଖରା ହେଲେ ମଧ୍ୟ ସନ୍ଧ୍ୟା ପରେ ପରିବେଶ ଧୀରେ ଧୀରେ ଶୀତଳ ହୋଇଯାଉଥିଲା ଏବଂ ଲୋକମାନେ ରାତିରେ କିଛିଟା ଆରାମ ଅନୁଭବ କରୁଥିଲେ। କିନ୍ତୁ ବର୍ତ୍ତମାନ ସେହି ପରିସ୍ଥିତି ପୂରାପୂରି ବଦଳିଯାଇଛି। ଦିନର ଗରମ ରାତିରେ ମଧ୍ୟ ଅବ୍ୟାହତ ରହୁଥିବାରୁ ଲୋକମାନଙ୍କ ସୁଖନିଦ୍ରା ଦୁର୍ଲଭ ହୋଇପଡ଼ିଛି

        ପାଣିପାଗ ବିଜ୍ଞାନୀମାନେ ଏହି ପରିସ୍ଥିତିକୁ “ସାଇଲେଣ୍ଟ ୱାର୍ମିଂ” ବା “ନିଃଶବ୍ଦ ତାତି” ଭାବେ ଅଭିହିତ କରୁଛନ୍ତି। ସେମାନଙ୍କ ମତାନୁସାରେ, ଏହା କେବଳ ଏକ ଋତୁକାଳୀନ ସମସ୍ୟା ନୁହେଁ, ବରଂ ଭବିଷ୍ୟତରେ ଗୁରୁତର ପରିବେଶ ଓ ସ୍ୱାସ୍ଥ୍ୟ ସଙ୍କଟର ରୂପ ନେଇପାରେ। ଦିନର ତାପମାତ୍ରା ବଢ଼ିବା ସହ ରାତିର ତାପମାତ୍ରା ମଧ୍ୟ ଅସ୍ୱାଭାବିକ ଭାବେ ବଢୁଥିବାରୁ ଲୋକମାନେ ଗରମ ଓ ଗୁଳୁଗୁଳିରେ ଅସହ୍ୟ ଅବସ୍ଥାରେ ରହୁଛନ୍ତି

          ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ବାୟୁମଣ୍ଡଳରେ ସବୁଜ ଗ୍ୟାସ୍‌ର ପରିମାଣ ବୃଦ୍ଧି, ସହରୀକରଣ ଓ ଆର୍ଦ୍ରତା ବଢ଼ିବା ଏହି ସମସ୍ୟାର ପ୍ରମୁଖ କାରଣ। ବାୟୁମଣ୍ଡଳରେ ତାପ ଧରିରଖୁଥିବା ଗ୍ୟାସ୍‌ ବଢିବାରୁ ଦିନରେ ସଂଚିତ ତାପ ରାତିରେ ସହଜରେ ବାହାରିପାରୁନାହିଁ। ଫଳରେ ରାତି ବେଳେ ମଧ୍ୟ ଘରଭିତରେ ଗରମ ଓ ଗୁଳୁଗୁଳି ଅନୁଭବ ହେଉଛି

    ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୂପାଳକଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ରାତିର ତାପମାତ୍ରା ଦିନ ତୁଳନାରେ ଅଧିକ ଦ୍ରୁତ ହାରରେ ବଢୁଛି। ବିଶେଷକରି ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ବାଲେଶ୍ୱର ଭଳି ଉପକୂଳ ଅଞ୍ଚଳରେ ଗରମ ସହ ଗୁଳୁଗୁଳି ଲୋକମାନଙ୍କୁ ଅଧିକ ଅସୁବିଧାରେ ପକାଉଛି। ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ଆର୍ଦ୍ରତା ବହୁତ ବଢ଼ିଯାଉଛି। ଶରୀରରୁ ନିସ୍କାସିତ ଝାଳ ଶୁଖିପାରୁନଥିବାରୁ ଶରୀରର ସ୍ୱାଭାବିକ ଶୀତଳତା ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ଏବଂ ଲୋକମାନେ ଅଧିକ ଗରମ ଅନୁଭବ କରୁଛନ୍ତି

            ଅନ୍ୟପଟେ ଆଭ୍ୟନ୍ତରୀଣ ଅଞ୍ଚଳରେ ଜଙ୍ଗଲ କ୍ଷୟ, ଖଣି କାର୍ଯ୍ୟକଳାପ ଓ ଜଳସ୍ତର ହ୍ରାସ ଯୋଗୁଁ ମାଟିର ଶୀତଳତା କମିଯାଉଛି। ପୂର୍ବରୁ ଗଛପତ୍ର ଓ ଜଳାଶୟ ତାପମାତ୍ରାକୁ ସନ୍ତୁଳିତ ରଖୁଥିଲେ ମଧ୍ୟ ବର୍ତ୍ତମାନ ପରିବେଶରେ ସେହି ସନ୍ତୁଳନ ରହୁନାହିଁ। ଏହାର ପ୍ରଭାବରେ ରାତିରେ ମଧ୍ୟ ମାଟି ଓ ପରିବେଶ ଶୀଘ୍ର ଥଣ୍ଡା ହେଉନାହିଁ

            ସହରୀକରଣ ଏହି ସମସ୍ୟାକୁ ଆହୁରି ଗୁରୁତର କରୁଛି। ସହରରେ ବଢୁଥିବା କଂକ୍ରିଟ୍ ଘର, ପକ୍କା ରାସ୍ତା, ଫ୍ଲାଏଓଭର ଓ ଯାନବାହନରୁ ବାହାରୁଥିବା ତାପ ସହର ଭିତରେ ଉତ୍ତାପକୁ ଆବଦ୍ଧ କରି ରଖୁଛି। ତାସହିତ ସହର ଅଞ୍ଚଳରେ ଗଛପତ୍ର ଓ ଜଳାଶୟ କମିଯିବାରୁ ପରିସ୍ଥିତି ଆହୁରି ଅସହ୍ୟ ହେଉଛି। ଦିନରେ ସୂର୍ଯ୍ୟକିରଣରୁ ଗରମ ହୋଇଥିବା କଂକ୍ରିଟ୍ ଓ ରାସ୍ତା ରାତିରେ ଧୀରେ ଧୀରେ ତାପ ବିକୀରଣ କରୁଥିବାରୁ ରାତିର ତାପମାତ୍ରା କମୁନାହିଁ

   ଏହି “ଉଷ୍ମ ରାତି” ବର୍ତ୍ତମାନ ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇପଡ଼ିଛି। ରାତିରେ ଶରୀରକୁ ପର୍ଯ୍ୟାପ୍ତ ଶୀତଳତା ନ ମିଳିବାରୁ ଲୋକମାନେ ଠିକ୍‌ ଭାବରେ ବିଶ୍ରାମ ପାଇପାରୁନାହାନ୍ତି। ଫଳରେ କ୍ଲାନ୍ତି, ଦୁର୍ବଳତା, ଜଳଶୂନ୍ୟତା ଓ ହିଟ୍‌ ସ୍ଟ୍ରୋକ୍‌ ଭଳି ସମସ୍ୟା ବଢ଼ିପାରେ। ବିଶେଷକରି ଶିଶୁ, ବୃଦ୍ଧ ଓ ବାହାରେ କାମ କରୁଥିବା ଶ୍ରମିକମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି

        ଚାଷ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା କୁହାଯାଉଛି। ରାତିର ତାପମାତ୍ରା ଅଧିକ ରହିଲେ ଫସଲର ସ୍ୱାଭାବିକ ବୃଦ୍ଧି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ ଏବଂ ଫସଲ ଉତ୍ପାଦନ କମିବାର ଆଶଙ୍କା ରହିଛି ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ଦିନରେ ଏପରି ଗରମ ରାତିର ସଂଖ୍ୟା ଆହୁରି ବଢ଼ିପାରେ। ତେଣୁ ସହରରେ ସବୁଜିମା ବଢ଼ାଇବା, ଜଳାଶୟ ସୁରକ୍ଷା କରିବା ଓ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ବିଶେଷଜ୍ଞମାନେ ଗୁରୁତ୍ୱ ଦେଉଛନ୍ତି। ଗଛ ଲଗାଇବା, ଜଳ ଉତ୍ସ ସୁରକ୍ଷା ଓ ସହର ଯୋଜନାରେ ପରିବେଶକୁ ପ୍ରାଥମିକତା ଦେବା ଦ୍ୱାରା ଏହି “ନିଃଶବ୍ଦ ତାତି” ସମସ୍ୟାକୁ କିଛି ପର୍ଯ୍ୟନ୍ତ ନିୟନ୍ତ୍ରଣ କରିହେବ ବୋଲି ମତ ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *