“ଆଡିଓସ୍‌” ପୋଷ୍ଟରେ ବଢ଼ିଲା ଚିନ୍ତା

ଟ୍ରମ୍ପଙ୍କ ରହସ୍ୟମୟ ବାର୍ତ୍ତା ପରେ ଆମେରିକା-ଇରାନ ଶାନ୍ତି ଆଲୋଚନାରେ ବଡ଼ ସଙ୍କଟ

ଓ୍ଵାସିଂଟନ ଡିସି / ତେହେରାନ, ୨୪/୫: ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସ୍ଥାୟୀ ଶାନ୍ତି ଆଲୋଚନା ମଧ୍ୟରେ ଏକ ବଡ଼ ବିଭ୍ରାଟ ସୃଷ୍ଟି ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ରହସ୍ୟମୟ ପୋଷ୍ଟ କରି ସମଗ୍ର ବିଶ୍ଵକୁ ଚକିତ କରିଦେଇଛନ୍ତି।

ସେହି ପୋଷ୍ଟରେ କେବଳ “ଆଡିଓସ୍‌” ଲେଖିବା ସହ ଏକ ଏଆଇ ନିର୍ମିତ ଫଟୋ ସେୟାର କରାଯାଇଥିଲା। ଫଟୋରେ ଇରାନର ପତାକା ଲାଗିଥିବା କେତେକ ବାଣିଜ୍ୟିକ ଜାହାଜରେ ଭୟାବହ ବିସ୍ଫୋରଣ ହେଉଥିବା ଏବଂ ଆକାଶରେ ଏକ ଆମେରିକୀୟ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଛି।

ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଦୀର୍ଘ ଦିନ ଧରି ଚାଲିଥିବା ଶାନ୍ତି ପ୍ରକ୍ରିୟା ଓ ପ୍ରସ୍ତାବିତ ସ୍ଥାୟୀ ଶାନ୍ତି ବୁଝାମଣା ଏବେ ଭାଙ୍ଗିଯିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପୋଷ୍ଟ ଏପରି ଏକ ସମ୍ବେଦନଶୀଳ ସମୟରେ ଆସିଛି, ଯେତେବେଳେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଶେଷ କରିବା ପାଇଁ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା।

ଏହାର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ନିଜେ ଦାବି କରିଥିଲେ ଯେ ଶାନ୍ତି ଚୁକ୍ତି ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି। ଏପରିକି ଭାରତ ଗସ୍ତରେ ଥିବା ମାର୍କୋ ରୁବିଓ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ କିଛି ଘଣ୍ଟା ମଧ୍ୟରେ ବିଶ୍ଵବାସୀଙ୍କୁ ଭଲ ଖବର ମିଳିପାରେ ବୋଲି କହିଥିଲେ।

କିନ୍ତୁ ଟ୍ରମ୍ପଙ୍କ ଏହି ନୂତନ ଆଭିମୁଖ୍ୟ ପରେ ଶାନ୍ତି ଚୁକ୍ତି ଅଧାରୁ ବନ୍ଦ ହୋଇଯାଇଛି କିମ୍ବା ଆଲୋଚନା ସମ୍ପୂର୍ଣ୍ଣ ସ୍ଥଗିତ ହୋଇଯାଇଛି, ସେନେଇ ବଡ଼ ଅନିଶ୍ଚିତତା ପ୍ରକାଶ ପାଇଛି। ଟ୍ରମ୍ପ ମଧ୍ୟସ୍ଥିମାନଙ୍କୁ ଇରାନର ସର୍ତ୍ତ ମାନିବା ଦିଗରେ ତତ୍ପରତା ନ ଦେଖାଇବାକୁ ମଧ୍ୟ କହିଥିବା ଜଣାପଡ଼ିଛି।

ବିଶେଷଜ୍ଞଙ୍କ ମତରେ, ଯଦି ଏହି ଆଲୋଚନା ବିଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ସାମରିକ ତିକ୍ତତା ଚରମ ସୀମାରେ ପହଞ୍ଚିପାରେ। ହର୍ମୁଜ ଜଳପଥ ବନ୍ଦ ହୋଇଗଲେ ବିଶ୍ଵ ଅର୍ଥନୀତି ଗଭୀର ସଙ୍କଟ ଆଡ଼କୁ ଗତି କରିପାରେ।

Leave a Reply

Your email address will not be published. Required fields are marked *